Site icon UTKAL PRATIDIN

15ରୁ କଟକର ଐତିହାସିକ ବାଲିଯାତ୍ରା, ୟୁଜର ଫି’ ଚିନ୍ତାରେ ଉଠାଦୋକାନୀ

WhatsApp-Image-2024-11-11-at-1.29.47-PM-750x430

କଟକ ଐତିହାସିକ ବାଲିଯାତ୍ରା ପାଖେଇ ଆସିଲାଣି । ମହାନଦୀ କୂଳରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦୋଳି ବନ୍ଧାଠାରୁ ଆରମ୍ଭ କରି ମଞ୍ଚ ସଜା ସବୁଠି ଚାଲିଛି ଜୋରସୋର କାମ। ଏଥରର ମୁଖ୍ୟ ଆକର୍ଷଣ ରହିବ କଟକ ଇନ୍‌ କଟକ। ଚଳିତବର୍ଷ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମଥର ପାଇଁ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ୧୫ ଦେଶର ଅତିଥି। ଏଥିପାଇଁ ଉଭୟ ତଳ ଓ ଉପର ପଡ଼ିଆର ଅନୁଧ୍ୟାନ କରିଛନ୍ତି କଟକ ଜିଲ୍ଲାପାଳ, ଡିସିପି ଓ ସିଏମସି କମିଶନରଙ୍କ ସହ ୫୦ରୁ ଅଧିକ ଅଧିକାରୀ।

ଅନ୍ୟପଟେ ମେଳାକୁ ଶୃଙ୍ଖଳିତ କରିବା ସହ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ଉପରେ ଅଧିକ ଫୋକସ କରିଛି କମିଶନରେଟ ପୁଲିସ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲାପାଳ ନିଷେଧାଦେଶ ଲଗାଇଛନ୍ତି। ଜୋବ୍ରାରୁ ଚହଟା, ଉପର ଓ ତଳ ପଡ଼ିଆ ରାସ୍ତାରେ ବସିବା ମନା। ଫୁଟପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି ହୋଇଛି। ଉଠାଦୋକାନୀଙ୍କ ବ୍ୟବସାୟ ପାଇଁ ତଳପଡ଼ିଆରେ ସ୍ବତନ୍ତ୍ର ଜାଗା ସ୍ଥିର ହୋଇଛି। ବ୍ୟବସାୟ ପାଇଁ ତଳ ପଡ଼ିଆରେ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ ହୋଇଛି।

ୟୁଜର ଫି ଦେଇ ଉଠାଦୋକାନୀ ସେଠାରେ ବ୍ୟବସାୟ କରିପାରିବେ। ତେବେ ଏନେଇ ଘୋଷଣା ପରେ ଉଠାଦୋକାନୀଙ୍କୁ ଭାଳେଣି ପଡିଛି। ୟୁଜର ଫି ଭରିପାରିବେକି ନାହିଁ, ୨୦ ହଜାର ବର୍ଗଫୁଟ ସ୍ଥାନରେ ସମସ୍ତଙ୍କୁ ଜାଗା ମିଳିବ କି ନାହିଁ ପସନବଚି ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଚଳିତବର୍ଷ ନଭେମ୍ବରରେ ଆୟୋଜିତ ହେବ ଐତିହାସିକ କଟକ ବାଲିଯାତ୍ରା। ନଭେମ୍ବର ୧୫ରୁ ଆରମ୍ଭ ହୋଇ ନଭେମ୍ବର ୨୨ ଯାଏଁ ଚାଲିବ କଟକ ବାଲିଯାତ୍ରା। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

Exit mobile version