
ଭୁବନେଶ୍ଵର: ଆଜି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ ଆସୁଛି। ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା ।
ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା । ଖଣି ଖାଦାନର ବୃଦ୍ଧି ଘଟିବା ଫଳରେ ହାତୀମାନଙ୍କର ବାସସ୍ଥାନରେ ସଙ୍କୁଚିତ ହେଉଛି । ଅସାମାଜିକ ଲୋକେ ମଧ୍ୟ ହାତୀ ଶିକାର କରୁଛନ୍ତି । ବର୍ଷ ବର୍ଷ ଧରି ହାତୀ-ମଣିଷ ଲଢ଼େଇ ଜାରି ରହିଥିବାବେଳେ କେତେବେଳେ ହାତୀ ତ ପୁଣି କେବେ ମଣିଷର ଜୀବନ ଯାଉଛି। ସେହିଭଳି ଟ୍ରେନ୍ ଧକ୍କା, ବିଦ୍ୟୁତ୍ ଆଘାତରେ ବହୁ ହାତୀଙ୍କ ମୃତ୍ୟୁ ଘଟୁଥିବା ନଜର ଆସୁଛି। ରାଜ୍ୟରେ ହାତୀ ଶିକାର ମଧ୍ୟ ବଢ଼ି ଚାଲିଛି। ପ୍ରାକୃତିକ ବାସସ୍ଥଳ ଅଭାବ ହାତୀବଂଶ ପାଇଁ ବିପଦ ସାଜିଛି। ବହୁ ହାତୀ ଶାବକଙ୍କ ଅକାଳ ମୃତ୍ୟୁ ମଧ୍ୟ ଘଟୁଛି। ଏପରିସ୍ଥଳେ ସୁରକ୍ଷା ଦାୟିତ୍ୱରେ ଥିବା ବନ ବିଭାଗ ଫେଲ୍ ମାରିଥିବା ବାରିହୋଇପଡୁଛି। ଫଳରେ ଦିନକୁ ଦିନ ଏହି ପ୍ରାଣୀର ସଂଖ୍ୟା ଲୋପ ପାଇବାକୁ ବସିଛି । ଏଣୁ ଜନସଚେତନାକୁ ଦ୍ରୁତତର କରିବା ପାଇଁ ବିଶ୍ୱହସ୍ତୀ ଦିବସର ପରିକଳ୍ପନା କରାଯାଇଛି ।
ନିକଟରେ ବଡ଼ମ୍ବା, ଆଠଗଡ଼, ଗଞ୍ଜାମ, ସମ୍ବଲପୁରରୁ ଦାନ୍ତ ପାଇଁ ଦନ୍ତା ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ହାତୀ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ହାତୀ ହତ୍ୟା ପଛରେ ବନ ବିଭାଗର ମଧ୍ୟ ହାତ ରହିଥିବା ପ୍ରମାଣ ମିଳିଛି ତେଣୁ ହାତୀ ବଂଶ ସୁରକ୍ଷା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇଛି । ୨୦୨୨ ହାତୀ ଗଣନା ଅନୁସାରେ ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ମୋଟ ୨୪୫ ଟି ହାତୀଙ୍କର ମୃତ୍ୟୁ ହୋଇଛି । ଗତ ୧୨ ବର୍ଷରେ ରାଜ୍ୟରେ ସମୁଦାୟ ୯୫୪ଟି ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୪ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ତେବେ ଏହି ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ଚନ୍ଦକା ଅଭୟାରଣ୍ୟର କୁମାର ଖୁଣ୍ଟି ଠାରେ ପାଳନ କରାଯିବ ବିଶ୍ଵହସ୍ତି ଦିବସ । ଜଙ୍ଗଲ ସୁରକ୍ଷା ସହ ହାତୀମାନଙ୍କ ସୁରକ୍ଷାକୁ ଦୃଷ୍ଟି ଓ ହାତୀମାନଙ୍କ ବଂଶ ବୃଦ୍ଧି କିଭଳି କରାଯାଇପାରିବ ଏହି ଦିବସ ପାଳନ କରାଯିବାର ମୁଖ୍ୟ ଉଦେଶ୍ୟ ରହିଛି । ଏହି ଅବସରରେ ହାତୀ ଗୁଡିକୁ ଗାଧୋଇବା ସହ ଫଳମୂଳ ଖାଇବାକୁ ଦିଆଯାଏ । ଏଥିସହ ହାତୀ ମାହୁନ୍ତ ମାନଙ୍କୁ ସମ୍ମାନିତ କରାଯିବ ।