Site icon UTKAL PRATIDIN

ମହାକୁମ୍ଭରେ ମାତୃତ୍ଵ ଲାଭ କଲେ ୧୧ ମହିଳା, ପ୍ରଥମ ମହିଳାଙ୍କ ପୁତ୍ରର ନାମ ‘କୁମ୍ଭ’

Capture

ପ୍ରୟାଗରାଜ: ଚାଲିଛି ବିଶ୍ୱାସ ଏବଂ ଭକ୍ତିର ସବୁଠାରୁ ବଡ଼ ଉତ୍ସବ ମହାକୁମ୍ଭ ମେଳା । ଦେଶ ତଥା ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ସଙ୍ଗମରେ ଧାର୍ମିକ ବୁଡ଼ ପକାଉଛନ୍ତି । ପ୍ରୟାଗରାଜ ଏବଂ ଆଖପାଖ ଅଞ୍ଚଳଗୁଡ଼ିକରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଲାଣି । ଏହାରି ଭିତରେ ପ୍ରୟାଗରାଜରୁ ଆସିଛି ଖୁସି ଖବର । ମହାକୁମ୍ଭରେ ୧୧ ଜଣ ମହିଳା ମାତୃତ୍ୱ ଲାଭ କରିଛନ୍ତି। ଯାହାକି ସେମାନଙ୍କ ମହାକୁମ୍ଭ ଯାତ୍ରାକୁ ଆହୁରି ସ୍ୱତନ୍ତ୍ର କରିଛି।

ମିଳିଥିବା ଖବର ଅନୁସାରେ, ଗତ ଡିସେମ୍ବର ୨୯ ତାରିଖରେ ପ୍ରଥମେ ଜଣେ ମହିଳା କୁମ୍ଭ ସ୍ଥଳୀରେ ପୁତ୍ର ସନ୍ତାନ ଜନ୍ମ କରିଥିଲେ । କୌଶମ୍ବୀ ବାସିନ୍ଦା ଏହି ୨୦ ବର୍ଷୀୟା ମହିଳା ତାଙ୍କ ନବଜାତ ଶିଶୁର ନାମ କୁମ୍ଭ ଦେଇଥିଲେ । ତେବେ କାମ ଅନ୍ୱେଷଣରେ ମହିଳା ଏବଂ ତାଙ୍କ ସ୍ଵାମୀ କୁମ୍ଭ ମେଳାକୁ ଆସିଥିଲେ । ସେଠାରେ ତାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ଵାମୀ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ସେହିପରି ଗତ ୬ ତାରିଖରେ ବାରବାଙ୍କୀର ଜଣେ ୩୦ ବର୍ଷୀୟା ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

ସୂଚନାଯୋଗ୍ୟ, ମେଳା କ୍ଷେତ୍ରରେ ଥିବା ସେଣ୍ଟ୍ରାଲ୍ ହସ୍ପିଟାଲରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାର ମହିଳା ମାନେ ମାତୃତ୍ଵ ଲାଭ କରିଛନ୍ତି । ଏହାରି ଭିତରେ ମୋଟ ୧୧ ଜଣ ମହିଳା ମାତୃତ୍ଵ ଲାଭ କରିଛନ୍ତି । ଏହି ହସ୍ପିଟାଲ କୁମ୍ଭମେଳା କ୍ଷେତ୍ରରେ ୧୦୫ ମେଡିକାଲ କର୍ମଚାରୀ ଓ ୪ ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ୧୩ ହସ୍ପିଟାଲ ଓ ୧୦ ଫାଷ୍ଟ୍‌ଏଡ୍‌ ପୋଷ୍ଟ୍‌ ମଧ୍ୟରେ ଅନ୍ୟତମ। ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଏହି ହସ୍ପିଟାଲ ନିର୍ମିତ ହୋଇଛି ।

Exit mobile version