ନୂଆଦିଲ୍ଲୀ: ବୟସର ଅପରାହ୍ନରେ ପହଞ୍ଚିଲେ ସାଧାରଣ ମଣିଷ ନିଜର କର୍ମ କ୍ଷେତ୍ରରୁ ସାମାନ୍ୟ ଦୁରେଇ ଯାଏ । କାରଣ ବୟସ ସେମାନଙ୍କୁ କର୍ମ କରିବା ପାଇଁ ସତେ ଯେମିତି ଅନୁମତି ଦେଇନଥାଏ । ଏପରିକି ସରକାର ମଧ୍ୟ ଜନତାଙ୍କ କର୍ମରୁ ଅବସର ନେବାର ବୟସ ସ୍ଥିର କରିଛନ୍ତି । ସାଧାରଣତଃ ୬୦ ବର୍ଷ ହୋଇଗଲେ କର୍ମୀ ମାନଙ୍କୁ ଅବସର ଦିଆଯାଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ମହିଳା ବୟସର ଅପରାହ୍ନରେ ପହଞ୍ଚି ମଧ୍ୟ ଏବେ ବି କାର୍ଯ୍ୟରତ । ତା ଥକିଯାଇଛନ୍ତି ସେ ଆଉ ନ ଅଟକି ଯାଇଛି ତାଙ୍କ କର୍ମ । ଏପରିକି ବର୍ତ୍ତମାନ ସେ ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ଭାବରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡରେ ରେକର୍ଡ ମଧ୍ୟ କରିଛନ୍ତି । କିନ୍ତୁ ଏସବୁ ଭିତରେ ଆପଣଙ୍କୁ ଚକିତ କରିଦେବ ତାଙ୍କ ବୟସ ଶୁଣି । ଆଜ୍ଞା ହଁ । ମହିଳା ବୟସ ୧୦୮ ବର୍ଷ । ଆଉ ତାଙ୍କର ଏକ ସେଲୁନ୍ ଅଛି । ଯେଉଁଠି ସେ ଏବେ ମଧ୍ୟ କାର୍ଯ୍ୟ କରୁଛନ୍ତି ।
ଆମେ କହୁଛୁ ଜାପାନର ପୂର୍ବବର୍ତ୍ତୀ ଟୋଚିଗି ରାଜ୍ୟ ନାକାଗାୱା ସହର ବାସିନ୍ଧା ଶିତ୍ସୁଇ ହାକୋଇଶିଙ୍କ ବିସୟରେ । ଶିତ୍ସୁଇ ହାକୋଇଶିଙ୍କ ବୟସ ୧୦୮ ବର୍ଷ । ତାଙ୍କର ଏକ ସେଲୁନ୍ ମଧ୍ୟ ରହିଛି । ସେହି ସେଲୁନରେ ସେ ପ୍ରତ୍ୟେକ ଦିନ ଅନେକ ଲୋକଙ୍କର ଚୁଟି କାଟିଥାନ୍ତି । ହେଲେ କେବେ ବି ତାଙ୍କ କାମରେ କେହି ତାଙ୍କୁ ଆଜି ଯାଏଁ ଖୁଣି ନାହାଁନ୍ତି । ନିକଟରେ ସେ ବିଶ୍ୱର ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ଭାବେ ଗିନିଜ୍ ୱାର୍ଲଡ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି। ତାଙ୍କ ସେଲୁନରେ ଗିନିଜ୍ ୱାର୍ଲଡ ରେକର୍ଡସର ଅଧିକାରୀମାନେ ତାଙ୍କୁ ସବୁଠାରୁ ବୟସ୍କ ମହିଳା ଭାବେ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ମୁହୂର୍ତ୍ତକୁ ହାକୋଇଶିଙ୍କ ନିୟମିତ ଗ୍ରାହକ ଏବଂ ସ୍ଥାନୀୟ ଲୋକେ ମିଶି କେକ୍ କାଟି ସେଲିବ୍ରେଟ୍ କରିଥିଲେ।
ହାକୋଇଶି ନାକାଗାୱାରେ ଜନ୍ମ ଗ୍ରହଣ କରିଥିଲେ। ୧୯୩୬ରେ ମାତ୍ର ୨୦ ବର୍ଷ ବୟସରେ ସେ ଏକ ସେଲୁନ ଖୋଲିଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଏହି କାର୍ଯ୍ୟ କରୁଥିଲେ । ତାଙ୍କ ସ୍ୱାମୀଙ୍କ ସହ ମିଶି ହାକୋଇଶି ଜାପାନର ରାଜଧାନୀ ଟୋକିଓରେ ନିଜ ପ୍ରଥମ ସେଲୁନ ଖୋଲିଥିଲେ। ତେବେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାସହ ସେ ନିଜ ଦୋକାନ ମଧ୍ୟ ହରାଇଥିଲେ। ଫଳରେ ହାକୋଇଶି ନିଜ ବାପଘର ନାକାଗାୱାକୁ ଫେରି ଆସିଥିଲେ। ସେ ନାକାଗାୱାରେ ନୂତନ ସେଲୁନ ଆରମ୍ଭ କରି ନିଜ ୨ ପିଲାଙ୍କ ଲାଳନ ପୋଷଣ କରିଥିଲେ। ଏହି ସେଲୁନଟି ବର୍ତ୍ତମାନ ମଧ୍ୟ ଚାଲିଛି।
ଜିଡବ୍ଲ୍ୟୁଆରରେ ସ୍ଥାନ ପାଇ ହାକୋଇଶି କହିଛନ୍ତି, ନିଜ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ତାଙ୍କୁ ଆଶ୍ୱସ୍ତି ମିଳିଥାଏ। ଏହି ସମୟକୁ ସେ ଖୁବ୍ ଉପଭୋଗ କରିଥାନ୍ତି। ତେଣୁ ବର୍ତ୍ତମାନ ସେ ଏହି ସେବାରୁ ନିବୃତ୍ତ ରହିବା ନେଇ ଚିନ୍ତା କରିନାହାନ୍ତି । ଯେପର୍ଯ୍ୟନ୍ତ ତାଙ୍କ ସେଲୁନକୁ ଗ୍ରାହକ ଆସୁଥିବେ, ସେଯାଏ ସେ ସେମାନଙ୍କୁ ସେବା ପ୍ରଦାନ କରି ଚାଲୁଥିବେ ବୋଲି ଏହି ବୟସ୍କା କେଶ କଟାଳି କହିଛନ୍ତି। ପ୍ରକାଶ ଯେ, ୨୦୨୧ ମାର୍ଚ୍ଚରେ ଟୋକିଓ ଅଲିମ୍ପିକ୍ସ ପାଇଁ କରାଯାଇଥିବା ମଶାଲ ରିଲେରେ ଅଂଶଗ୍ରହଣ କରିବାକୁ ହାକୋଇଶିଙ୍କୁ ସୁଯୋଗ ମିଳିଥିଲା।

