
୮ ବର୍ଷ ପରେ ଧରାପଡ଼ିଲେ ଦୁର୍ନୀତି କରି ଫେରାର ହୋଇଥିବା ବିଡ଼ିଓ ଦିଲ୍ଲୀରୁ ବନ୍ଧା ହେଲେ ପୂର୍ବତନ ବିଡ଼ିଓ । ନାରାୟଣପାଟଣାର ପୂର୍ବତନ ବିଡିଓଙ୍କୁ ଦିଲ୍ଲୀରୁ ଧରିଲା ଭିଜିଲାନ୍ସ । ଗତ ୮ ବର୍ଷ ହେବ ଫେରାର ଥିବା ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ଗିରଫ ହୋଇଛନ୍ତି । ତାଙ୍କ ଲୋକେସନ ଟ୍ରେସ କରି ଭିଜିଲାନ୍ସର ଏକ ଟିମ୍ ଦିଲ୍ଲୀ ଯାଇ ଆଜି ସେଠାରୁ ତାଙ୍କୁ କାବୁ କରିଛି l ଆଜି ଦିଲ୍ଲୀ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯିବ । କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ନିଜ ଚାକିରି କାଳରେ ବହୁ ଦୁର୍ନୀତି ମାମଲାରେ ଫସିଥିଲେ । ସେ ବହୁ ଉନ୍ନୟନମୂଳକ କାମରେ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ବିଶେଷ କରି ୭ଟି ଦୁର୍ନିତୀ ମାମଲାରେ ରମେଶଙ୍କୁ ଖୋଜୁଥିଲା ଭିଜିଲାନ୍ସ । ଅଙ୍ଗନବାଡି କେନ୍ଦ୍ର, ରାସ୍ତା ନିର୍ମାଣ, ଡାଇଭରସନ ରାସ୍ତା ସହ ଏନଆରଇଜିଏସ କାମରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ସବୁ ଦୁର୍ନୀତିରେ ଲିପ୍ତ ରହି ୨୦୧୫ରୁ ଫେରାର ଥିଲେ ରମେଶ ଚନ୍ଦ୍ର ସାହୁ । ସୂଚନା ଅନୁସାରେ ପ୍ରଥମେ ଭଡ଼ା ଘର ନେଇ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ସେ ରହିଥିଲେ। ପରେ ସେ ଆସାମ ଚାଲିଯାଇଥିଲେ। ଏବେ ନିକଟରେ ସେ ଆସାମରୁ ପୁଣି ଦିଲ୍ଲୀକୁ ଫେରିଥିଲେ । ଧରାପଡ଼ିବା ପରେ ଏବେ ଟ୍ରାଞ୍ଜିଟ୍ ରିମାଣ୍ଡରେ ତାଙ୍କୁ ଓଡିଶା ଆଣିବ ଭିଜିଲାନ୍ସ । ରିମାଣ୍ଡରେ ଆଣି ଦୁର୍ନୀତିର ମୂଳପୋଛ କରିବ ଭିଜିଲାନ୍ସ । ଏତେ ଟଙ୍କା କୁଆଡେ ଗଲା ସେ ନେଇ ଖୋଳତାଡ଼ କରିବ ଭିଜିଲାନ୍ସ । ତଦନ୍ତ ପରେ ଉଚିତ ଦଣ୍ଡ ବିଧାନ ମଧ୍ୟ କରାଯିବ l