
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୫୧ ହଜାର ରୁ ବି ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ । ଦେଶର ବିଭିନ୍ନ ସ୍ଥାନରେ ନୂତନ କରି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ)ରେ ନିଯୁକ୍ତି ପାଇଥିବା ଯବାନଙ୍କୁ ଆଜି ଅଗଷ୍ଟ ୨୮ ଅଷ୍ଟମ ପର୍ଯ୍ୟାୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିବେ । ତେବେ ଏହି କାର୍ଯ୍ୟକ୍ରମରେ ଅନ୍ଲାଇନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ୪୫ଟି ସ୍ଥାନରେ ଯୋଡ଼ି ହେବେ ।
ମିଶନ ନିଯୁକ୍ତି ଅଧୀନରେ ପ୍ରତି ମାସ ଭାରତ ସରକାର ଓ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ରୋଜଗାର ମେଳା ଆୟୋଜିତ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା କୃତି ଛାତ୍ରଛାତ୍ରୀଙ୍କୁ ସରକାର ନିଯୁକ୍ତି ପତ୍ର ବଣ୍ଟନ କରିଥାନ୍ତି । ତେବେ ଆଜି ଏହି ଅଷ୍ଟମ ପର୍ଯ୍ୟାୟ ରୋଜଗାର ମେଳା ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ରୋଜଗାର ମେଳାରେ ମୋଟ ୫୧ ହଜାର ୧୦୬ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ତେବେ କେନ୍ଦ୍ରମନ୍ତ୍ରୀ ସର୍ବନନ୍ଦା ସୋନୋୱାଲଙ୍କ ଅଧ୍ୟକ୍ଷତାରେ ଗୌହାଟିରେ ଅଷ୍ଟମ ପର୍ଯ୍ୟାୟ ରୋଜଗାର ମେଳା ଅନୁଷ୍ଠିତ ହେବ । ସେହିପରି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ଶ୍ରମ ଓ ରୋଜଗାର ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କାଚର ଜିଲ୍ଲାର ସିଲଚର ନିକଟ ମାସିମପୁର ସୀମାନ୍ତ ବିଏସ୍ଏଫ ଏମଆଣ୍ଡସି ଫ୍ରଣ୍ଟିଅର ମୁଖ୍ୟାଳୟଠାରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଗୌହାଟିରେ ୨୮୭ଟି ଓ ସିଲଚାରଠାରେ ୧୫୦ଟି ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ଏହି ରୋଜଗାର ମେଳାରେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର ଅନେକ ଖାଲି ପଦବୀ ଭର୍ତ୍ତି କରାଯିବ । ସେଥିମଧ୍ୟରେ ରହିଛି ସିଆରପିଏଫ, ବିଏସଏଫ, ଶସ୍ତ୍ର ସୀମା ବଳ (ଏସଏସିବି), ଆସାମ ରାଇଫଲ୍ସ, ସିଆଇଏସଇ, ଆଇଟିବିପି ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) । ଏହାସହିତ ଦିଲ୍ଲୀ ପୋଲିସରେ ମଧ୍ୟ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟ କରାଯିବ । ନୂତନ ନିଯୁକ୍ତ ଯୁବକ ଯୁବତୀ ସିଏପିଏଫ ରେ ଯୋଗ ଦେଇ ରାଷ୍ଟ୍ରର ସେବାରେ ନିୟୋଜିତ ହେବେ । ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତି ଗୃହ ମନ୍ତ୍ରଣାଳୟର ବିଭିନ୍ନ ସଂଗଠନରେ କନଷ୍ଟେବଳ (ଜେନେରାଲ୍ ଡ୍ୟୁଟି), ସବ୍-ଇନ୍ସପେକ୍ଟର (ଜିଡି) ଏବଂ ଅଣ-ଜିଡି କ୍ୟାଡର ପୋଷ୍ଟ ଭଳି ବିଭିନ୍ନ ପଦବୀରେ ଯୋଗଦେବେ ।
ଦେଶର ଯୁବପୀଢିଙ୍କ ଲାଗି ରୋଜଗାର ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ଏହି ରୋଜଗାର ମେଳା ଅନୁଷ୍ଠିତ ହୋଇଥାଏ । ଗତ ମାସରେ ମଧ୍ୟ ରୋଜଗାର ମେଳା ହୋଇଥିଲା l ଗତ ମାସ ଜୁଲାଇ ୨୨ ତାରିଖରେ ଏହି ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା l ଏହି ମେଳରେ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ୭୦୦୦୦ ରୁ ବି ଅଧିକ ନିଯୁକ୍ତିପାତ୍ର ବଣ୍ଟନ କରିଥିଲେ l