ଭତ୍ତା ନାଁରେ ଭେଳିକି ଦେଖାଉଛନ୍ତି । ସହାୟତା ନାଁରେ ପ୍ରତାରଣା କରିଛନ୍ତି । କହିଥିଲେ, କ୍ଷମତାକୁ ଆସିଲେ ବୟସ୍କଙ୍କୁ ଦେବେ ୩୫୦୦ ଟଙ୍କାର ଭତ୍ତା । ଭତ୍ତା ଦେଲେ କିନ୍ତୁ ପାତରଅନ୍ତର କଲେ । ଏମିତି କହି କ୍ଷୋଭ ପ୍ରକାଶ କରିଛନ୍ତି ବୟସ୍କ ହିତାଧିକାରୀ ।
ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦେଇଥିଲା ବିଜେପି, କ୍ଷମତାକୁ ଆସିଲେ ବୟସ୍କ ନାଗରିକ, ବିଧବା, ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି କରିବ । ୧୦୦୦ ଭତ୍ତାକୁ ୩ ହଜାର କରିବ। ହେଲେ ଭୋଟ ପାଇଲା ପରେ ଭୁଲିଗଲା ଦଳ । ଭୁଲିଲା କହିଲେ ଭୁଲ ହେବ, ଭତ୍ତା ନାଁରେ ବୟସ୍କଙ୍କୁ ଭେଳିକି ଦେଖାଇଲା ବିଜେପି । ସାପ ମରିବନି, ବାଡ଼ି ଭାଙ୍ଗିବନି ନ୍ୟାୟରେ ଭତ୍ତା ଦେଲେ ମୋହନ ସରକାର ।
ଚଳିତ ବଜେଟ ରେ ସରକାର ବୟସ୍କଙ୍କୁ ୩୫୦୦ ଟଙ୍କା ଦେବା ବୋଲି ଘୋଷଣା କରିଛି। ଭତ୍ତା ଟଙ୍କା ବୃଦ୍ଧି କଲେ ସତ ହେଲେ ତାହା ସମସ୍ତଙ୍କ ପାଇଁ ନୁହେଁ । କେବଳ ୮୦ ବୟସରୁ ଅଧିକ ନାଗରିକ, ୮୦% ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଏହି ଭତ୍ତା ଲାଗୁ ହେବ । ଏପରି କରି ସରକାର ୩୦ ଲକ୍ଷ ଗରିବଙ୍କୁ ପ୍ରତାରିତ କରିଛନ୍ତି।
ରାଜ୍ୟରେ ୫୬.୭୬ ଲକ୍ଷ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ବିଧବା, ଏଡ୍ସ, କିନ୍ନରଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରାଯାଉଛି । ପୂର୍ବ ନବୀନ ସରକାର ଭତ୍ତା ବାବଦରେ ଏକ ହଜାର ଟଙ୍କା ଓ ୮୦ ବୟସରୁ ଅଧିକ ନାଗରିକଙ୍କୁ ୧୨ ହଜାର ଲେଖାଏ ଟଙ୍କା ଦେଉଥିଲେ ।
ଯାହା ବି ହେଉ, ମୋହନ ସରକାରଙ୍କ ଏପରି ପାତରଅନ୍ତର ମନୋଭାବ ଓ ପ୍ରତାରଣାକୁ ନେଇ ହିତାଧିକାରୀମାନେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି