୩୩ ରନରେ ଆୟରଲାଣ୍ଡକୁ ପରାସ୍ତ କଲା ଭାରତ ଆୟରଲାଣ୍ଡ ବିପକ୍ଷରେ ଭାରତର ୨ୟ ମ୍ୟାଚରେ ବିଜୟ । ସିରିଜରେ ୨-୦ରେ ଆଗୁଆ ଟିମ୍ ଇଣ୍ଡିଆ । ଗତକାଲି ଦୁବଲିନଠାରେ ଖେଳା ଯାଇଥିବା ଦ୍ଵିତୀୟ ଟି-୨୦ ମୁକାବିଲାରେ ଆୟରଲାଣ୍ଡକୁ ୩୩ ରନରେ ହରାଇଛି ଟିମ୍ ଇଣ୍ଡିଆ । ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଜିତିବା ସହ ୨-୦ ରେ ଆଗୁଆ ରହିଛି ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୫ ରନ କରିଥିଲା । ଜବାବରେ ଘରୋଇ ଦଳ ଆୟରଲାଣ୍ଡର ୮ ଓ୍ଵିକେଟ୍ ହରାଇ ମାତ୍ର ୧୫୨ ରନ କରି ପାରିଥିଲା। ଭାରତର ଦୁଇ ଓପନର ଯଶସ୍ଵୀ ଜୟସଓ୍ଵାଲ ଓ ଋତୁରାଜ ଗାଏକଓ୍ଵାଡ ୨୯ ରନ ଯୋଡ଼ିଥିଲେ । ପରେ ଜୟସଓ୍ଵାଲ ୧୮ ରନ କରି ଆଉଟ୍ ହୋଇଥିଲେ । ତିଲକ ବର୍ମା ମାତ୍ର ୧ ରନ କରି ପାରିଥିଲେ । ସଞ୍ଜୁ ସାମସନ ୨୬ ବଲ୍ରୁ ୫ ଚୌକା ଓ ୧ ଛକା ସହ ୪୦ ରନର କରି ପାଭିଲିୟନ ଫେରିଥିଲେ । ଋତୁରାଜ ଓ ସଞ୍ଜୁ ତୃତୀୟ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡ଼ି ଦଳର ସ୍କୋରକୁ ୧୦୫ ରନରେ ପହଞ୍ଚାଇଥିଲେ । ଋତୁରାଜ ୪୩ ବଲ୍ରୁ ୬ ଚୌକା ଓ ୧ ଛକା ସହ ୫୮ ରନ କରିଥିଲେ । ଏହା ପରେ ରିଙ୍କୁ ସିଂ ମାତ୍ର ୨୧ ବଲ୍ରୁ ୨ ଚୌକା ଓ ୩ ଛକା ସହ ୩୮ ରନ କରିଥିବା ବେଳେ ଶିବମ ଦୁବେ ୨୨ ରନରେ ଅପରାଜିତ ଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୫ ରନରେ କରିଥିଲା ଟିମ୍ ଇଣ୍ଡିଆ । ଏହାପରେ ୧୮୬ ରନର ବିଶାଳ ବିଜୟ ଲକ୍ଷ୍ୟ କରିଥିବା ଆୟରଲାଣ୍ଡ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା । ଆଣ୍ଡ୍ର୍ୟୁ ବଲବିର୍ଣ୍ଣେ ୫୧ ବଲ୍ରୁ ୫ ଚୌକା ଓ ୪ ଛକା ସହ ୭୨ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ । ହେଲେ ଆଉ କୌଣସି ବ୍ୟାଟର ଏତେ ଭଲ ପ୍ରଦର୍ଶନ କରି ପାରି ନ ଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅଧିନାୟକ ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ପ୍ରତ୍ୟେକ ୨ଟି ଲେଖାଏ ଓ୍ଵିକେଟ୍ ନେଇଥିଲେ । ରିଙ୍କୁ ସିଂହ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।
୩୩ ରନରେ ଆୟରଲାଣ୍ଡକୁ ପରାସ୍ତ କଲା ଭାରତ
