
ଭୁବନେଶ୍ୱର: ଆସନ୍ତା ୩୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ୨୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ବେଳେ ୩୦ ବେଳକୁ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପଟେ ବର୍ତ୍ତମାନ ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେ ଧୀରେ ତାର ସାଧାରଣ ଅବସ୍ଥାନକୁ ଫେରୁଛି। ୩୦ ସୁଦ୍ଧା ଏହା ସ୍ୱାଭାବିକ ସ୍ଥିତିକୁ ଫେରିଆସିବା ଯୋଗୁଁ ବର୍ଷାର ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ ବର୍ଷାର ପ୍ରଭାବ ଅଧିକ ରହୁଥିବା ବେଳେ ଶୁକ୍ରବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶୁକ୍ରବାର ନୂଆପଡ଼ା, ବରଗଡ଼, ବଲାଙ୍ଗିର, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଚଳିତ ମୌସୁମୀ ଋତୁରେ ୧ଜୁନରୁ ୨୭ଜୁଲାଇ ମଧ୍ୟରେ ରାଜ୍ୟରେ ୪୪୦.୯ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ୫୦୧.୬ ମିମି ତୁଳନାରେ ୧୨ ପ୍ରତିଶତ କମ ରହିଛି। ଏହି ସମୟ ପରିଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୯୦.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱଭାବିକ ବର୍ଷା ତୁଳନାରେ ୪୭ ପ୍ରତିଶତ ଅଧିକ । ସେହିପରି ପୁରୀ ଜିଲ୍ଲାରେ ସର୍ବନିମ୍ନ ୨୭୬.୧ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ସ୍ୱାଭାବିକ ବର୍ଷା ତୁଳନାରେ ୩୧ ପ୍ରତିଶତ କମ ରହିଛି। ମୌସୁମୀ ପ୍ରଭାବରେ ଆଗକୁ ଆହୁରି ମଧ୍ୟ ଆମ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ l