ରାଜ୍ୟରେ ଡେଙ୍ଗୁ ସମସ୍ୟା ବଢ଼ିବାରେ ଲାଗିଛି l ସମସ୍ତଙ୍କୁ ଏବେ ଚିନ୍ତାଗ୍ରସ୍ତ କରିଛି ଏହି ଡେଙ୍ଗୁ l ଗତବର୍ଷ ତୁଳନାରେ ଚଳିତ ବର୍ଷ ଏଇ ସମୟ ସୁଦ୍ଧା ରାଜ୍ୟରେ ପ୍ରାୟ ଦେଢ଼ଗୁଣାରେ ପହଞ୍ଚିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ୨୦୨୨ ଅଗଷ୍ଟ ୧୬ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୪୪୧ରୁ ଏବର୍ଷ ୨ ହଜାର ୧୧୧ ଛୁଇଁଛି । ଏପଟେ ଖାଲି ରାଜ୍ୟ ରାଜଧାନୀ ନୁହେଁ, ରାଜ୍ୟର ଆହୁରି ଅନେକ ଅଞ୍ଚଳକୁ ଡରାଇଲାଣି ଡେଙ୍ଗୁ । ଖୋର୍ଦ୍ଧା ପରେ ପୁରୀ, କଟକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ ଅଙ୍କ ପାର କରିବା ପରେ ସ୍ଥିତି ଅଣାୟତ୍ତ । ସେପଟେ ରାଜ୍ୟର ସବୁ ଜିଲ୍ଲାରେ ସେତେ ଭୟାବହ ସ୍ଥିତି ନାହିଁ ଏବଂ ସଚେତନ ହେଲେ ମୁକାବିଲା ସମ୍ଭବ ବୋଲି ଆଶ୍ୱାସନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ ହେବା ପରେ ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ଡେଇଁଛି ଡେଙ୍ଗୁ। ଜଗତସିଂହପୁର ଜିଲ୍ଲାର ସଦର ମହକୁମା ହସ୍ପିଟାଲରେ ଏବେ ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏହାରି ଭିତରେ ୧୦୦ ପାର ହେବା ପରେ ଡେଙ୍ଗୁକୁ ନେଇ ବଢ଼ିଛି ଡର । ଏପଟେ ବଲାଙ୍ଗିରରେ ବି କାୟା ବଢାଇବା ଆରମ୍ଭ କଲାଣି ଡେଙ୍ଗୁ । ଗୋଟିଏ ପଟେ ସହରରେ ମଶାଙ୍କ ପ୍ରାଦୁର୍ଭାବ ଅନ୍ୟପଟେ ଭୀମଭୋଇ ମେଡିକାଲରେ ଭର୍ତ୍ତି ହେଲେଣି ୬ରୁ ଅଧିକ ଆକ୍ରାନ୍ତ । ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଲୋକଙ୍କ ଭିତରେ ସୃଷ୍ଟି କଲାଣି କୋକୁଆ ଭୟ । କାରଣ ରାଜ୍ୟର ଏବେ ୫ ଜିଲ୍ଲା ସମ୍ପୂର୍ଣ୍ଣ ଡେଙ୍ଗୁ କବଜାରେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଖୋର୍ଦ୍ଧା ପରେ ପରୀ, କଟକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ୩ ଅଙ୍କ ଡେଇଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୧୫୫, ବାଲେଶ୍ୱରରୁ ୧୭୯, ପୁରୀରୁ ୧୫୦, କଟକରୁ ୧୨୫ ଏବଂ ଜଗତସିଂହପୁରରୁ ୧୦୧ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ପରେ ଏ ସଂଖ୍ୟା ଅନ୍ୟ ଜିଲ୍ଲା ଲାଗି ଚିନ୍ତା ବଢାଇଛି । ସେପଟେ ସର୍ଭିଲାନ୍ସ ଓ ଟେଷ୍ଟିଂ ବଢ଼ିଥିବାରୁ ସଂଖ୍ୟା ବଢ଼ିଛି ଏବଂ ରାଜ୍ୟର କେବଳ ୫ ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ଜିଲ୍ଲାରେ ସ୍ଥିତି ସେଭଳି ଭୟାବହ ନାହିଁ । ଲୋକେ ସଚେତନ ହେଲେ ହିଁ, ଡେଙ୍ଗୁକୁ ମାତ୍ ଦିଆଯାଇ ପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଣେ ରାଜଧାନୀ ଭୁବନେଶ୍ୱର ଡେଙ୍ଗୁର ହଟସ୍ପଟ୍ ପାଲଟି ସାରିଥିବାରୁ ଏଠି ଏବେ ସର୍ଭେଲାନ୍ସ, ଟେଷ୍ଟିଂ ଓ ସଚେତନତାକୁ ବ୍ୟାପକ କରିଛି ବିଏମସି । ଗତ ୧୦ ତାରିଖରୁ ଆରମ୍ଭ ହୋଇଛି ଘର ଘର ଅଭିଯାନ । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ବି ବିଭିନ୍ନ ଉପାୟରେ ସଚେତନ କରାଯାଉଛି । ଏହାସତ୍ତ୍ୱେ ରାଜଧାନୀରେ ଶହ ଶହ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ମହାନଗର ନିଗମ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।
