Site icon UTKAL PRATIDIN

୨୫ରେ ଆଉ ଏକ ଘୁର୍ଣ୍ଣିବଳୟ

photo_6264776681520739587_y

୨୫ରେ ଆଉ ଏକ ଘୁର୍ଣ୍ଣିବଳୟ ସକ୍ରିୟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ୨୩ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି । ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ତତ୍‌-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଆଗାମୀ ୨ ରୁ ୩ ଦିନ ଯାଏ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା -ଉତ୍ତର ଛତିଶଗଡ ମୁହାଁ ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ବାଙ୍କୀରେ ସର୍ବାଧିକ ୩୭୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଖୋର୍ଦ୍ଧା ଜଟଣୀରେ ୮୮ ମିଲିମିଟର, ହୀରାକୁଦରେ ୮୭.୮ ମି.ମି., ନବରଙ୍ଗପୁରରେ ୮୧ ମି.ମି. ଓ ଭୁବନେଶ୍ୱରରେ ୬୩.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଜି ମଧ୍ୟ କିଛି ଅଞ୍ଚଳରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ କଚ୍ଚା ଘର, କଚ୍ଚା ରାସ୍ତା ସହ ମାଟି କାନ୍ଥ ଭୁଶୁଡ଼ିବା ନେଇ ପାଣିପାଗ ବିଭାଗ ସତର୍କ କରିଛି।

Exit mobile version