
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ
ଚେନ୍ନାଇ: ତାମିଲନାଡୁରେ ରାଜନୈତିକ ହିଂସା | ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଭିନ୍ନ ରାଜନୈତିକ ଦଳର ତିନି ଜଣ ନେତାଙ୍କୁ ହତ୍ୟା କରାଗଲାଣି | ଏହାକୁ ନେଇ ରାଜ୍ୟରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି | ଏପରି ହିଂସା ପାଇଁ ବିରୋଧୀ ସରକାରଙ୍କୁ ଘେରିଛନ୍ତି | ଏଆଇଏଡିଏମକେ ଅଭିଯୋଗ କରିଛି ଯେ, କ୍ଷମତାରେ ଥିବା ଡ଼ିଏମକେ ଏପରି ଅରାଜକତା ସୃଷ୍ଟି କରିଛି | ସରକାରଙ୍କ ଚାପରେ ଆସି ପୋଲିସ ବି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଅଭିଯୋଗ କରିଛି ଏଆଇଏଡିଏମକେ |
ଏଆଇଏଡିଏମକେ ପ୍ରବକ୍ତା କୋବଇ ସତ୍ୟମ ଏକ ବୟାନ ଜାରି କରି କହିଛନ୍ତି, ୨୪ ଘଣ୍ଟାରୁ କମ ସମୟରେ ତିନି ରାଜନୈତିକ ଦଳର ୩ ଜଣ ନେତାଙ୍କୁ ହତ୍ୟା କରାଯାଇଛି | ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଏଆଇଏଡିଏମକେ ନେତା, ଜଣେ ବିଜେପି ଏବଂ ଆଉଜଣେ କଂଗ୍ରେସ ନେତା |
ତାମିଲନାଡ଼ୁରେ ଏବେ ଅରାଜକତାର ମାହୋଲ ଦେଖା ଦେଇଥିବା ସ୍ପଷ୍ଟ ହୋଇଛି ଆଉ ଏହାକୁ ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସମ୍ପୂର୍ଣ ଅକ୍ଷମ ବୋଲି ସେ ଅଭିଯୋଗ କରିଛନ୍ତି | ସେ ଆହୁରି ଅଭିଯୋଗ ଆଣିଛନ୍ତି, ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି କାରଣ କ୍ଷମତାସୀନ ଦଳ ସହ ଜଡିତ କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ହାଇକମାଣ୍ଡଙ୍କ ନିର୍ଦେଶ ରହିଛି |
ସେହିପରି ବିଜେପି ନେତା ଶାହାଯାଦ ପୁନାବାଲ କହିଛନ୍ତି, ତାମିଲନାଡୁରେ ଆଇନ ବ୍ୟବସ୍ଥା ସ୍ଥିତି ସଂଘାତିକ ହୋଇପଡିଛି | ଜୁଲାଇ ପ୍ରାରମ୍ଭରେ ଦଳିତ ନେତା ଆର୍ମଷ୍ଟ୍ରଙ୍ଗଙ୍କୁ ହତ୍ୟା କରାଯାଇଥିଲା | ଆଉ ଏବେ ୨୪ ଘଣ୍ଟାରୁ କମ ସମୟରେ ୩ ଜଣ ନେତାଙ୍କୁ ହତ୍ୟା | ଆଇନ ବ୍ୟବସ୍ଥା ଷ୍ଟାଲିନଙ୍କ ନିୟନ୍ତ୍ରଣ ବାହାରେ ବୋଲି ଏଥିରୁ ସ୍ପଷ୍ଟ ହେଉଛି |