ସମ୍ବଲପୁର: ହୀରାକୁଦ ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି । ତେଣୁ ବର୍ତ୍ତମାନ ୧୨ଟି ଗେଟ୍ ଖୋଲା ସାରିଛି l ଏବେ ଏହି ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ଗତକାଲି ସନ୍ଧ୍ୟା ୬ଟାରେ ହୀରାକୁଦର ଜଳସ୍ତର ୬୧୭.୯୩ ଫୁଟରେ ପହଞ୍ଚିଥିବା ବେଳେ ଆଜି ସକାଳ ୯ଟାରେ ଏହା ୬୨୦.୫୮ ଫୁଟରେ ପହଞ୍ଚିଛି । ବର୍ତ୍ତମାନ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୮୪ ହଜାର ଘନଫୁଟ ବନ୍ୟାଜଳ । ହେଲେ କେବଳ ୧ ଲକ୍ଷ୍ୟ ୭୦ ହଜାର ୨୮୦ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରରୁ ନିସ୍କାସିତ ହେଉଛି । ଏପର୍ଯ୍ୟନ୍ତ ମୋଟ୍ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବାମପଟୁ ୭ଟି ଓ ଡାହାଣ ପଟୁ ୫ଟି ଗେଟ୍ ଖୋଲିଛି । ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।
ଗତକାଲି ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲା ଯାଇଥିଲା । ପୂର୍ବରୁ ୨ଟି ଗେଟ୍ ଖୋଲା ରହିଥିଲା । ଗତକାଲି ମଧ୍ୟାହ୍ନ ୧୨ଟା ପରେ ଅଧିକ ୫ଟି ଗେଟ୍ ଖୋଲା ଯାଇଥିଲା। ସେହିପରି ଅପରାହ୍ଣ ୫ଟାରେ ପୁଣି ୫ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇ ଥିଲା । ତେବେ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ୧,୮୫,୭୨୪ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୧,୦୦୨ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ା ଯାଇଛି । ଜଳସେଚନ ନିମନ୍ତେ ୧, ୭୩୫ କ୍ୟୁସେକ୍ ପାଣି କେନାଲ ଗୁଡ଼ିକରେ ଛଡ଼ା ଯାଇଛି। ସେଥିରୁ ବରଗଡ଼ କେନାଲରେ ୧୩୭୫ କ୍ୟୁସେକ୍, ଶାସନ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୦ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି। ଜଳସ୍ତର ବଢୁଥିବାରୁ ଆବଶ୍ୟକ ପଡିଲେ ଆହୁରି ଗେଟ ମଧ୍ୟ ଖୋଲାଯିବାର ଆଶଙ୍କା କରାଯାଉଛି l ସେପଟେ ମହାନଦୀର ଜଳସ୍ତର ବଢ଼ୁଥିବାରୁ ବନ୍ୟା ପରିସ୍ଥିତି ଅଧିକ ଭୟଙ୍କର ହେବାର ଆଶଙ୍କା ରହିଛି l