
କାଠମାଣ୍ଡୁ : ନେପାଳର ମାଉଣ୍ଟ ଏଭରେଷ୍ଟ ଅଞ୍ଚଳରୁ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ମଙ୍ଗଳବାର ଅର୍ଥାତ୍ ଆଜି ହଟାଥ୍ ନିଖୋଜ ହୋଇଯାଇଥିଲା । ହେଲିକପ୍ଟରଟି ପାଞ୍ଚଜଣ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ପୃଥିବୀର ସର୍ବୋଚ୍ଚ ଶିଖର ଏଭରେଷ୍ଟ ଅଭିମୁଖେ ଯାତ୍ରା କରିସାରି ମଙ୍ଗଳବାର ସକାଳେ ରାଜଧାନୀ କାଠମାଣ୍ଡୁକୁ ଫେରୁଥିଲା । ହେଲିକପ୍ଟରଟି ସକାଳ ୧୦ ବାଜି ୪ ମିନିଟ୍ ରେ ସୋଲୁଖୁମ୍ବୁ ଜିଲ୍ଲାର ସୁରକେ ବିମାନ ବନ୍ଦରରୁ କାଠମାଣ୍ଡୁ ଅଭିମୁଖେ ବାହାରିଥିଲା। ଏୟାର ଅଧିକାରୀଙ୍କ କହିବା ଅନୁସାରେ ୧୦ ବାଜି 12 ମିନିଟ୍ ସମୟରେ ହେଲିକପ୍ଟରଟି ସିଗ୍ନାଲ୍ ହରାଇଥିଲା ।

ଯାହାଦ୍ବାରା ହେଲିକପ୍ଟରଟି ର ଆଉ କିଛି ପତା ମିଳିନଥିଲା । ବର୍ତ୍ତମାନ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ନିଖୋଜ ହେଲିକପ୍ଟରର ଭଗ୍ନାବଶେଷ ଦେଖିବାକୁ ମିଳିଛି । ନେପାଳର ସର୍ଚ୍ଚ ଟିମ୍ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଭଗ୍ନାବଶେଷ ଉଦ୍ଧାର କରିଛି । ଏଥି ସହ ସମସ୍ତ 6 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୋଶୀ ପ୍ରାନ୍ତ ପୋଲିସ୍ ଡିଆଇଜି ରାଜେଶନାଥ ବସ୍ତୋଲା କହିଛନ୍ତି ଯେ ପ୍ରାରମ୍ଭରେ ଗ୍ରାମବାସୀଙ୍କ ଦ୍ବାରା ହିଁ ପାଞ୍ଚଟି ମୃତଦେହ ଉଦ୍ଧାର ହୋଇଥିଲା ।

ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡିଛି ହେଲିକପ୍ଟରଟି ପାହାଡ ଉପରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିମାନବନ୍ଦର ଅଧିକାରୀ ଙ୍କ ସୂଚନା ଅନୁଯାୟୀ ପାଣିପାଗ ପରିସ୍ଥିତି ହେତୁ ହେଲିକପ୍ଟରର ପଥକୁ ପରିବର୍ତ୍ତନ କରିବାକୁ ପଡିଥିଲା ଯାହାଦ୍ଵାରା ଏପରି ଏକ ଦୁର୍ଘଟଣାରେ ସମ୍ମୁଖୀନ ହେବାକୁ ପଡ଼ିଲା।