ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ । ଏବେ ମୋଟ ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଆଜି ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୦ ଦଶମିକ ୫୮ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ୪ ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୨୩ ହଜାର ୬୨୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ତେବେ ହୀରାକୁଦର ଜଳ ସ୍ଥର କମିଥିବା ନେଇ କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଆଉ ନାହିଁ ବନ୍ୟା ସ୍ଥିତି । ହୀରାକୁଦକୁ ଜଳ ପ୍ରବାହ କମିଛି । ଏବେ ବାମପଟୁ ୧୧ ଓ ଦକ୍ଷିଣ ପଟୁ ୬ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ତଳମୁଣ୍ଡରେ ବହୁତ ମାତ୍ରାରେ ପାଣି କମି ଯାଇଛି । ମୁଣ୍ଡୁଳିରେ ବି ପାଣି କମି ଯାଇଛି । ସେ ଆହୁରି କହିଛନ୍ତି ଯେ, ଖଇରମାଳ ଠାରେ ବି ପାଣି କମି ୩.୨୦ ଲକ୍ଷ କ୍ୟୁସେକରେ ପାଣି ପ୍ରବାହିତ ହେଉଛି। ବିଶେଷକରି କଣାସ ବ୍ଲକର ଦୟା ଓ ରାଜୁଆ ନଦୀ, ମାଛଗାଁ ଦେବୀ ନଦୀ, କେନ୍ଦ୍ରାପଡ଼ାର ଲୁଣା ଓ କେରାଣ୍ଡିଆ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଉଛି । ପାଣି ଖସିଲେ ଦିନେ ଦୁଇ ଦିନ ଭିତରେ ମରାମତି କାମ ସରିବ ବୋଲି ସେ କହିଛନ୍ତି ।
ହୀରାକୁଦର ପୂର୍ବରୁ ୨ଟି ଗେଟ୍ ଖୋଲା ରହିଥିବା ବେଳେ ଗତକାଲି ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲା ଯାଇଥିଲା । ଫଳରେ ଗତକାଲି ମୋଟ୍ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା । ମୋଟ୍ ୧,୮୫,୭୨୪ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୧,୦୦୨ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ା ଯାଇଛି । ଜଳସେଚନ ନିମନ୍ତେ ୧, ୭୩୫ କ୍ୟୁସେକ୍ ପାଣି କେନାଲ ଗୁଡ଼ିକରେ ଛଡ଼ା ଯାଇଛି। ସେଥିରୁ ବରଗଡ଼ କେନାଲରେ ୧୩୭୫ କ୍ୟୁସେକ୍, ଶାସନ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୦ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି । ଏସବୁ ଭିତରେ ଆଜି ପୁଣି ଆଉ ୫ଟି ଗେଟ ଖୋଲା ଯାଇଛି l ଏବେ ମୋଟ ୧୭ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ହୀରାକୁଦ ଜଳସ୍ତର ଏବେ କମିବାକୁ ଲାଗିଛି