UTKAL PRATIDIN

ହିମାଚଳ ପ୍ରଦେଶରେ ଭୂସ୍ଖଳନ

୫୦ରୁ ଅଧିକ ଲୋକ ମାଟି ତଳେ ଚାପି ହୋଇ ରହିଛନ୍ତି ହିମାଚଳ ପ୍ରଦେଶର ଶିମଲା ଠାରେ ଭୟଙ୍କର ଅଘଟଣ । ପ୍ରବଳ ବର୍ଷା ପରେ ହେଲା ଭୂସ୍ଖଳନ । ଏହି ଭୟଙ୍କର ଭୂସ୍ଖଳନରେ ସେଠାକାର ଏକ ମନ୍ଦିର ଭୁଶୁଡି ପଡିଛି । ଯାହା ଫଳରେ ୫୦ରୁ ଅଧିକ ଲୋକ ଏହା ଭିତରେ ଚାପି ହେଇ ରହିଥିବା ଖବର ମିଳିଛି । ଭୂସ୍ଖଳନ ପରେ ସେଠାରେ ବର୍ତ୍ତମାନ ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି । କୁହାଯାଉଛି ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରରେ ଭିଡ ଥିଲା । ଏହି ସମୟରେ ଭୂସ୍ଖଳନ ହେବାରୁ ଭକ୍ତମାନେ ମାଟି ତଳେ ଚାପି ହେଇଯାଇଛନ୍ତି । ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ପ୍ରକୃତିର ତାଣ୍ଡବ ଜାରି ରହିଛି । ବାଦଲ ଫଟା ବର୍ଷା ପରେ ଅନେକ ଜାଗାରେ ଭୂସ୍ଖଳନ ଘଟିଛି । ଖାଲି ସେତିକି ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଦୁଇ ରାଜ୍ୟକୁ ଏବେ ଆଲର୍ଟରେ ରଖାଯାଇଛି । ତେବେ ମଣ୍ଡିଠାରେ ବ୍ୟାସ ନଦୀ ଭୟଙ୍କର ଭାବେ ପ୍ରବାହିତ ହେଉଛି ଅନ୍ୟପଟେ ଅଳକାନନ୍ଦାର ଲହଡି ଦେଖି ମଧ୍ୟ ଲୋକେ ଭୟଭୀତ ହୋଇଛନ୍ତି । ଅନ୍ୟପଟେ ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ ବାଦଲଫଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କନ୍ଦାଘାଟ ସବ୍‌ଡିଭିଜନ ଜାଡୋନ ଗାଁର ବୋଲି ସୂଚନା ମିଳିଛି। ସେପଟେ ମାମ୍‌ଲିଗ ଗାଁରେ ବାଦଲଫଟା ବର୍ଷା ପରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ୨ଟି ଘର ମଧ୍ୟ ଧୋଇ ହୋଇଯାଇଥିବା ସୂଚନା ମିଳିଛି l ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପକ୍ଷେ, ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ରହିଛି।

Exit mobile version