ଗତ କିଛି ଦିନ ହେବ ହାତୀ ଆତଙ୍କ ଖୁବ ବୃଦ୍ଧି ପାଇଛି l ଖାଦ୍ୟ ଅନ୍ୱେଷଣରେ ହାତୀ ଜନବସତି ମୁଁହା ହୋଇ ଅନେକ ଧନ ସମ୍ପତି ସହ ଜୀବନ ନଷ୍ଟ କଲାଣି l ତେବେ ଏହି ହାତୀ ଜନବସତି ଆଡକୁ ଆସିଲେ ଲୋକଙ୍କୁ ସଚେତନ କରିବାକୁ ଏବେ ବାଜିବ ସାଇରନ୍ ।
ଅନୁଗୁଳ ବନ୍ତଳା ବନାଞ୍ଚଳରେ ସାଇରନ୍ ମେସିନ୍ ଲଗାଇଛି ବନ ବିଭାଗ । ତଳଗଡ଼ ଗାଁରେ ପରୀକ୍ଷାମୂଳକ ଭାବେ ଏହି ଯନ୍ତ୍ରକୁ ଲଗାଯାଇଛି । ଏହା ମାଧ୍ୟମରେ ହାତୀର ଗତିବିଧିକୁ ଲୋକେ ସହଜରେ ଜାଣି ପାରିବା ସହ ସଚେତନ ହୋଇପାରିବେ । ଏହି ଯନ୍ତ୍ରରେ ଏକ ସିମ୍ ରହିଛି । ଉଭୟ ମେସେଜ୍, କଲ ଓ ଇଣ୍ଟରନେଟର ସଂଯୋଗରେ ଏହା ନିୟନ୍ତ୍ରଣ କରାଯିବ । ଫରେଷ୍ଟର, ରେଞ୍ଜ ଅଫିସର ଓ ଡିଏଫଓଙ୍କ ପାଖରେ ଏହାକୁ ପରିଚାଳନା କରିବାର ବ୍ୟବସ୍ଥା ରହିଛି ।
ହାତୀର ଗତିବିଧି ଦେଖିବା ମାତ୍ରେ ସ୍ଥାନୀୟ ବନ କର୍ମଚାରୀ ଏହି ନମ୍ବରକୁ ମେସେଜ୍ ପଠାଇବେ । ମେସେଜ୍ ପାଇବା ମାତ୍ରେ ସାଇରନ୍ ବାଜିବା ଆରମ୍ଭ ହେବ । ପ୍ରାୟ ୧ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଏହି ଶବ୍ଦ ଶୁଣାଯିବ । ଫଳରେ ଲୋକେ ଏହି ଶବ୍ଦ ଶୁଣି ସତର୍କ ହୋଇଯିବେ । ଆଗାମୀ ଦିନରେ ହାତୀ ଉପଦ୍ରବ କରୁଥିବା ସମସ୍ତ ଅଞ୍ଚଳରେ ଏହି ଯନ୍ତ୍ର ଲଗାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଗତ କିଛି ଦିନ ହେବ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଏବେ ଡ୍ରୋନ୍ ସାହାଯ୍ୟରେ ହାତୀର ଗତିବିଧି ଉପରେ ନଜର ରଖୁଛି ବନ ବିଭାଗ । ଆଉ ଏବେ ଏହି ସାଇରନ ବ୍ୟବସ୍ଥା ବନ ବିଭାଗର ଏକ ପ୍ରଶଂସନୀୟ ପଦକ୍ଷେପ l ଅନେକ ପ୍ରକାର କ୍ଷୟ କ୍ଷତିକୁ ଏହା ଦ୍ୱାରା ରୋକଯାଇ ପାରିବ l