
ସ୍ଥାୟୀ ହେବେ ୬ଶହ ଠିକା ଡାଟା ଏଣ୍ଟ୍ରି ଅପରେଟର । ଏନେଇ ବୁଧବାର ଦିନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଫଳରେ ରାଜ୍ୟ ସରକାର, ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦୁଇ ଜଣିଆ ଖଣ୍ଡପୀଠରେ କରିଥିବା ଆବେଦନ ଖାରଜ ହୋଇଯାଇଛି । ହାଇକୋର୍ଟଙ୍କ ଏହି ରାୟ ପରେ ପାଖାପାଖି ୬୦୦ରୁ ଊର୍ଦ୍ଧ୍ଵ ଠିକା ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହେବେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ୨୦୦୬ ମସିହାଠାରୁ ବିଭିନ୍ନ ବିଭାଗରେ ଆଉଟ ସୋର୍ସିଂ ଜରିଆରେ ନିୟୋଜିତ ଠିକା କର୍ମଚାରୀ କୌଣସି ସରକାରୀ ସୁବିଧା ସୁଯୋଗ ପାଉନଥିଲେ । ଯାହାକୁ ନେଇ ଏକାଧିକ ଆବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ସେମାନଙ୍କୁ ନିୟମିତ କରିବା ପାଇଁ ମାମଲା ଦାୟର କରିଥିଲେ । ୨୦୨୧ରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଆବେଦନଗୁଡିକର ଶୁଣାଣି କରି ରାଜ୍ୟ ସରକାରଙ୍କ ୪ଟି ବିଭାଗରେ ଆଉଟସୋର୍ସିଂରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଆଉଟ ସୋର୍ସିଂ ଦ୍ୱାରା ନିୟୋଜିତ ଠିକା କର୍ମଚାରୀଙ୍କୁ ତିନି ମାସ ମଧ୍ୟରେ ନିୟମିତ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଥିଲେ । ତେବେ ଏହାକୁ ଚାଲେଞ୍ଜ କରି ରାଜ୍ୟ ସରକାର, ଦୁଇ ଜଣିଆ ଖଣ୍ଡପୀଠରେ ଆବେଦନ କରିଥିଲେ । ଯାହାକୁ ବୁଧବାର ଉଚ୍ଚ ନ୍ୟାୟଳୟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।