
ସୁନା-ରୂପା ଟଙ୍କା-ପଇସା ଚୋରି ବିଷୟରେ ପ୍ରାୟତଃ ସମସ୍ତେ ଶୁଣିଥିବେ ହେଲେ ଟମାଟୋ ଚୋରି, ଏହା ଏବେ ଏକ ନୂଆ ପ୍ରକାର କଥା ସାମନାକୁ ଆସିଛି । ଟମାଟୋର ମୂଲ୍ୟ ସାରା ଦେଶରେ ଆକାଶଛୁଆଁ ହୋଇଛି । ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି ଟମାଟୋ ଦର । କିଲୋଗ୍ରାମ ପ୍ରତି 150 ରୁ 250 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି ଏବେ ଦର । ଟମାଟୋର ମୂଲ୍ୟ ବୃଦ୍ଧି ମଧ୍ୟରେ କୃଷକ ଏବଂ ପନିପରିବା ଦୋକାନୀମାନଙ୍କ ପାଇଁ ‘ଟମାଟୋ ଚୋରି’ ମଧ୍ୟ ଏକ ସମସ୍ୟା ପାଲଟିଛି। ବ୍ୟବସାୟୀଙ୍କ କହିବାନୁସାରେ, ଗତ ମାସରେ ପ୍ରବଳ ବର୍ଷା ଏବଂ ଉତ୍ତାପ ଯୋଗୁଁ ଟମାଟୋ ଚାଷରେ କ୍ଷତିଗ୍ରସ୍ତ ହୋଇଛି । ଏହା ପରେ ଜୁନ୍ ମଧ୍ୟଭାଗରେ ହଠାତ୍ ଟମାଟୋ ମୂଲ୍ୟ ବୃଦ୍ଧି ପାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ଖାଉଟିଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି ।ଏସବୁ ମଧ୍ୟରେ ଟମାଟୋ ଚୋରିର ଏକ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । ଦେଶରେ ଅନେକ ଅଜବ ଉପାୟରେ ଟମାଟୋ ଚୋରି ହେଉଛି। କେଉଁ ସ୍ଥାନରେ ଟମାଟୋ ବୋଝେଇ ଗାଡ଼ି ଲୁଟ୍ ହେଉଛି ତ କେଉଁଠି ଟମାଟୋ ବିଲରୁ ସବୁ ଟମାଟୋ ଚୋରି ହୋଇଯାଉଛି । ଏମିତିକି ଦୋକାନ ତାଡ଼ି ବି ଟମାଟୋ ଚୋରି କରିନେଉଛନ୍ତି ଚୋର ।

ବେଙ୍ଗାଲୁରୁ ବଜାରରୁ ଆସିଥିବା ଏକ ଖବର ଅନୁଯାୟୀ 2 ଟନ୍ ଟମାଟୋ ନେଇ ଯାଉଥିବା ଏକ ଗାଡି ଲୁଟ କରି ନେଇଛନ୍ତି ଦୁବୃର୍ତ୍ତ । ଏହି ମାମଲାରେ ଏପର୍ଯ୍ୟନ୍ତ କାହାରିକୁ ଚିହ୍ନଟ କରାଯାଇ ନାହିଁ । କୃଷକ ନିଜ ସ୍ଥାନରୁ ଅର୍ଥାତ୍ ଚିତ୍ରାଦୁର୍ଗର ହିରିୟୁର ସହରରୁ କୋଲାର ବଜାରକୁ ଟମାଟୋ ନେଇ ଯାଉଥିବା ସମୟରେ ଏହି ଲୁଟ୍ ହୋଇଛି। ତିନି ଜଣ ଲୋକ ଏକ କାରରେ ଏହି ଗାଡ଼ିକୁ ପିଛା କରିଥିଲେ । ସୁଯୋଗ ଦେଖି ଡ୍ରାଇଭର ଏବଂ ଚାଷୀଙ୍କୁ ଆକ୍ରମଣ କରିବା ସହ ଟମାଟୋ ଲୁଟି ନେଇଛନ୍ତି ।

ଅପରପକ୍ଷରେ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି ଯୋଉଥିରେ କ୍ଷେତରୁ ହୋଇଛି ଟମାଟୋ ଚୋରି। କର୍ଣ୍ଣାଟକର ଜଣେ କୃଷକ ଦାବି କରିଛନ୍ତି ଯେ ହାସନ ଜିଲ୍ଲାର ତାଙ୍କ ଫାର୍ମରୁ 2.5 ଲକ୍ଷ ଟଙ୍କା ମୂଲ୍ୟର ଟମାଟୋ ଚୋରି ହୋଇଛି । ଦୁଇ ଏକର ଜମିରେ ଟମାଟୋ ଚାଷ କରିଥିଲେ । ମୂଲ୍ୟ ବଢୁଥିବାରୁ ଫସଲ ଅମଳ କରି ବଜାରକୁ ନେବାକୁ ଯୋଜନା କରିଥିଲେ । କିନ୍ତୁ ଏହାର ପୂର୍ବରୁ ହିଁ ବିଲରୁ ଟମାଟୋ ଚୋରି ହୋଇଯାଇଛି ।
ଅନ୍ୟ ଏକ ଘଟଣାରେ ଚୋରମାନେ କର୍ଣ୍ଣାଟକର ଡର୍ନାକାଲ ଗାଁର ଏକ ପନିପରିବା ଦୋକାନରୁ ପ୍ରାୟ 20 କିଲୋଗ୍ରାମ ଟମାଟୋ ଏବଂ 5 କିଲୋଗ୍ରାମ କଞ୍ଚାଲଙ୍କା ଚୋରି କରିଛନ୍ତି। ପୋଲିସର ସୂଚନାନୁସାରେ, ବି. ପ୍ରକାଶ ନାମକ ଜଣେ ଦୋକାନୀଙ୍କ ଦୋକାନରୁ ହୋଇଛି ଚୋରି । ଦୋକାନୀ ଜଣକ ଚୋରି ବିଷୟରେ ଜାଣିବା ପରେ ତୁରନ୍ତ ଥାନାରେ ଏତଲା ଦେଇଥିଲେ ।ଚୋରକୁ ଖୋଜିବା ପାଇଁ ପୋଲିସ୍ ର ତନାଘନା ଜାରି ରହିଛି ।