ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ୱେବ ସାମ୍ବାଦିକା ମଧୁମିତା ପରିଡା। ଭୁବନେଶ୍ୱର ବାପୁଜୀନଗର ରେଳ ଧାରଣାରୁ ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ପୁଲିସ । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ମଧୁମିତା ଭୁବନେଶ୍ୱରର ଏକ ୱେବ ଚେନାଲରେ କାମ କରୁଥିଲେ । ସେ କିଛି ଦିନ ତଳେ ସାମନ୍ତରାପୁରର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ୫ବର୍ଷର ପ୍ରେମ ସମ୍ପର୍କ ରହିବ ପରେ ଉଭୟ ବିବାହ କରିଥିଲେ ।
ତେବେ ମଧୁମିତାଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରା ଯାଇଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ମଧୁମିତଙ୍କ ସ୍ୱାମୀ ଶ୍ରୀଧର ପ୍ରଥମରୁ ବିବାହ କରିଥିଲେ | ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ହେଲେ ଏକଥା ମଧୁମିତା ବିବାହ ପରେ ଜାଣିଥିଲେ । ଏପରିକି ବିବାହ ପରେ ମଧ୍ୟ ତାଙ୍କର ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ଥିଲା ବୋଲି ମଧୁମିତା ସବୁବେଳେ କହୁଥିବା ତାଙ୍କ ବାପା ଓ ଭଉଣୀ ଅଭିଯୋଗ ଆଣିଛନ୍ତି ।
ଏଥିପାଇଁ କୁଆଡେ ଉଭୟଙ୍କ ମଧ୍ୟରେ ଝଗଡା ଲାଗୁଥିଲା | କିଛି ଦିନ ତଳେ ଉଭୟ ଥାନାକୁ ଯାଇ ମାମଲାର ସମାଧାନ କରିଥିଲେ । ମଧୁମିତାଙ୍କ ପରିବାର ଲୋକଙ୍କ କହିବା ଅନୁଯାଇ ଶ୍ରୀଧର ଓ ତାଙ୍କ ବଡ ଭାଇ ମିଶି ତାଙ୍କ ଝିଅକୁ ମାରି ଦେଇଛନ୍ତି ।
ତେବେ ମଧୁମିତା ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓ କରି ଇନଷ୍ଟାରେ ସେୟାର କରିଛନ୍ତି | ଏଥିରେ ସେ ସମସ୍ତଙ୍କୁ କ୍ଷମା ମାଗିବା ସହ ପାରିବାରିକ କଳହ ବିଷୟରେ ମଧ୍ୟ କହିଛନ୍ତି | ତାଙ୍କ ସ୍ୱାମୀ ତାଙ୍କୁ ଛାଡପତ୍ର ଦେଇ ଆଉଥରେ ବିବାହ କରିବାକୁ ଚାହୁଁଥିବା କଥା ସେ ଏଥିରେ କହିଛନ୍ତି | ଭିଡ଼ିଓଟି ଖୁବ ଭାଇରଲ ହେଇଛି |
ଯାହା ବି ହେଉ, ମଧୁମିତାଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସ ପହଂଚି ତଦନ୍ତ କରୁଛି |