
ସବୁଠି କାନ୍ଦ ବୋବାଳି । କାନ୍ଦୁଛି ଜନ୍ମମାଟି । ଲୁହରେ ଭିଜୁଛି ଶହୀଦଙ୍କ ଗାଁ। ସ୍ୱାଧୀନତା ଦିବସ ଆଉ ଦୁଇ ଦିନ ଥିବ ବେଳେ କାନ୍ଦୁଛି ସାରା ଗାଁ। ଆଜି ଗାଁ ଶ୍ମଶାନରେ ହୋଇଛି ଅନ୍ତିମ ସଂସ୍କାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସୁଶାନ୍ତଙ୍କ ପାର୍ଥିବ ଶରୀର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ସେଠାରୁ ବିଶାଳ ଶୋଭାଯାତ୍ରରେ ତାଙ୍କ ଗାଁକୁ ନିଆଯାଇଥିଲା । ଏ ଦୃଶ୍ୟ ହୃଦୟ ବିଦାରକ ଥିଲା । ଦୁଇମାସ ତଳେ ବାହାଘର ହୋଇଥିଲା । ମାତ୍ର ଦୁଇମାସରେ ହିଁ ପତ୍ନୀଙ୍କ ମୁଣ୍ଡର ସିନ୍ଦୁର ଲିଭିଯାଇଛି l ସହିଦ ସ୍ୱାମୀଙ୍କୁ କାନ୍ଦି କାନ୍ଦି ଶେଷ ଦର୍ଶନ କରିଛନ୍ତି ପତ୍ନୀ । ଝାଡଖଣ୍ତ ମାଓ ଆକ୍ରମଣରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ସୁଶାନ୍ତ । ମାଓ ଏନକାଉଣ୍ଟର ବେଳେ ସହିଦ ହେଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ । ସେ ଆନନ୍ଦପୁର ପୌରାଞ୍ଚଳ ୪ ନମ୍ବର ୱାର୍ଡର ବାସିନ୍ଦା । କୁମ୍ବିଂ ଅପରେସନବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେହି ସମୟରେ ଦୁଇ ସିଆରପିଏଫ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ଦୁଇ ଆହତ ଯବାନଙ୍କୁ ତୁରନ୍ତ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା । ହେଲେ ମେଡିକାଲରେ ପହଞ୍ଚିବା ମଧ୍ୟରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସୁଶାନ୍ତ ୨୦୧୧ ମସିହାରୁ ସିଆରପିଏଫ୍ ଯବାନ୍ ଭାବେ ନିଯୁକ୍ତି ପାଇଥିଲେ । ଦୁଇ ମାସ ତଳେ ସେ ବିବାହ କରିଥିଲେ । ଏଏନ୍ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରହନ୍ତି। ସୁଶାନ୍ତଙ୍କ ଦେହାନ୍ତ ସହ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଇଛି । ସୁଶାନ୍ତଙ୍କ ଛାତିରେ ଗୁଳି ବାଜିଥିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ସଂସାର ଗଢିବା ପୂର୍ବରୁ ହିଁ ଦୁନିଆକୁ ଅଲବିଦା କହି ଚାଲିଗଲେ ସୁଶାନ୍ତ । ହେଲେ ସେ ବୀର ସହିଦ ଯବାନ ସଦାସର୍ବଦା ଆମ ହୃଦୟରେ ରହିବେ l
