UTKAL PRATIDIN

ସର୍ବାଧିକ ରାଗିଂ ହେଉଥିବା ପାଞ୍ଚ ରାଜ୍ୟ ମଧ୍ୟରେ ଓଡିଶା

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ରାଗିଂ ମୁକ୍ତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇ କାର୍ଯ୍ୟକାରୀ କରୁଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ସତକର୍ତା ଓ ଚେତାବନୀ ଦିଆଯାଇଥିଲେ ମଧ୍ୟ ଭାରତର ସର୍ବାଧିକ ରାଗିଂ ହେଉଥିବା ପାଞ୍ଚଟି ରାଜ୍ୟ ମଧ୍ୟରେ ଆସିଛି ଓଡ଼ିଶାର ନାମ । ସର୍ବାଧିକ ରାଗିଂ ଅଭିଯୋଗ ଥିବା ରାଜ୍ୟ ତାଲିକାରେ ଉତ୍ତରପ୍ରଦେଶ (୧୯୫), ପଶ୍ଚିମବଙ୍ଗ (୧୬୦), ମହାରାଷ୍ଟ୍ର (୭୯) ପରେ ଓଡ଼ିଶା (୬୮) ଚତୁର୍ଥ ସ୍ଥାନରେ ରହିଛି । ୫୩ଟି ଅଭିଯୋଗ ସହିତ ତାମିଲନାଡୁ ପଞ୍ଚମ ସ୍ଥାନରେ ରହିଛି। ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ରାଜ୍ୟ ମୋଟ ୪୭୩ଟି ରାଗିଂ ଅଭିଯୋଗ ରହିଛି ।

ଆଣ୍ଟି-ରାଗିଂ ହେଲ୍ପଲାଇନ୍ (୧୮୦୦-୧୮୦-୫୫୨୨)ରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ଏପ୍ରିଲ ପହିଲାରୁ ଏଯାବତ ସାରା ଓଡ଼ିଶାର ବିଭିନ୍ନ କଲେଜରେ ୬୮ଟି ରାଗିଂ ଅଭିଯୋଗ ହୋଇଛି। ସେଥିମଧ୍ୟରୁ ତିନିଟି ମାମଲା ଅତ୍ୟନ୍ତ ଗୁରୁତର ଥିଲା କାରଣ ରାଗିଂ ଯୋଗୁଁ ପୀଡ଼ିତାଙ୍କ ଆତ୍ମହତ୍ୟା ଦ୍ୱାରା ମୃତ୍ୟୁ ହୋଇଥିଲା। ଏହି ତିନି ଜଣ ହେଲେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ବଲାଙ୍ଗୀରର ଭୀମା ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ଯାଜପୁରର ସରକାରୀ ପଲିଟେକ୍ନିକ୍ ର ପିଲା l ବାକି ୬୫ଟି ମାମଲା ମଧ୍ୟରୁ କେବଳ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଲେଜରୁ ୨୨ଟି ମାମଲା ରହିଛି। ଏହାବ୍ୟତୀତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୩ଟି ମାମଲା ରହିଛି l ଏହା ବ୍ୟତୀତ ଅନ୍ୟାନ୍ୟ କଲେଜ ଗୁଡିକରେ ମଧ୍ୟ କିଛି ପରିମାଣରେ ଏହି ରାଗିଂ ଅଭିଯୋଗ ରହିଛି l ଏହି ନିକଟ ଅତୀତରେ ଏକ ଘଟଣା ଘଟିଛି ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲରେ। ଜଣେ ପ୍ରଥମ ବର୍ଷର ଏମବିବିଏସ୍ ଛାତ୍ରଙ୍କ ଦାଢ଼ିକୁ ତିନି ଜଣ ବରିଷ୍ଠ ଛାତ୍ର ବଳପୂର୍ବକ କାଟି ଦେଇଥିଲେ।

ତେବେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଣ୍ଟି-ରାଗିଂ କମିଟିର ସକ୍ରିୟ ଭାବେ କାମ କଲେ ହିଁ ରାଗିଂ କମିପାରିବ ବୋଲି କୁହାଯାଉଛି। ତେଣୁ ନାମଲେଖା ସମୟରେ କେବଳ ଆଣ୍ଟି-ରାଗିଂ ସତ୍ୟପାଠ ସଂଗ୍ରହ ଯଥେଷ୍ଟ ନୁହେଁ ବୋଲି ଛାତ୍ରଛାତ୍ରୀ ବିଶ୍ବାସ କରୁଛନ୍ତି। ଛାତ୍ରଛାତ୍ରୀମାନେ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି କମିଟିଗୁଡ଼ିକ ଅଧିକ ସକ୍ରିୟ ହେଲେ ହିଁ ରାଗିଂକୁ ରୋକାଯାଇପାରିବ। ଏହା ସହ ସରକାରଙ୍କ ପକ୍ଷରୁ ମଧ୍ୟ କଡ଼ା ନିୟମ ଗ୍ରହଣ କରାଯିବ ଉଚିତ l ରାଗିଂ କରୁଥିବା ସହ ରାଗିଂକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ଉଚିତ ଦାଣ୍ଡରେ ଦଣ୍ଡିତ କରାଯିବା ଆବଶ୍ୟକ l

Exit mobile version