
ଭୁବନେଶ୍ୱର : ତିନି ଦିନିଆ ଓଡିଶା ଗସ୍ତ ଶେଷକରି ଓଡ଼ିଶାରୁ ନୂଆଦିଲ୍ଲୀକୁ ଫେରିଗଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆଜି ନୂଆଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ଓଡିଶାରୁ ବିଦାୟ ଦେବା ସମୟରେ ବିମାନବନ୍ଦରରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟ ଶାସନ ସଚିବ, ମେୟର ଓ ପୋଲିସ କମିଶନର ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ତମାଣ୍ଡୋରେ ବ୍ରହ୍ମକୁମାରୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବାଟିଆରେ ଡିଭାଇନ୍ ଲାଇଟ୍ ହାଉସର ମଧ୍ୟ ଶିଳାନ୍ୟାସ କରିଥିଲେ ରାଷ୍ଟ୍ରପତି । ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଗଛ ମଧ୍ୟ ଲଗାଇଥିଲେ । ପରେ “ଦି ଇୟର ଅଫ୍ ପଜିଟିଭ୍ ଚେଞ୍ଜ” ଥିମ୍ ଲଞ୍ଚ କରିବା ସହିତ ବ୍ରହ୍ମାକୁମାରୀ କେନ୍ଦ୍ରର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ରାଜଭବନରେ ଆଦିମ ଜନଜାତି ସମୁଦାୟ ସଦସ୍ୟଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିଥିଲେ । ଏବେ ଓଡିଶା ରୁ ବାହାରି ଦିଲ୍ଲୀ ଅଭିମୁଖେ ଗସ୍ତ ଆରମ୍ଭ କରିସାରିଛନ୍ତି ମହାମହିମ ରାଷ୍ଟ୍ରପତି l