ଭୁବନେଶ୍ୱର: ନବୀନଙ୍କ ଗିରଫ ପ୍ରସଙ୍ଗ ନେଇ ପୁଣି ତାତିଛନ୍ତି ବିରୋଧୀ। ଅସ୍ମିତାରେ ଉତ୍ସାହିତ ହୋଇ ନବୀନଙ୍କୁ ଗିରଫ କରିବା କଥା କହିଦେଲ। ଯଦି ସାହସ ଅଛି ଗିରଫ କରି ଦେଖାଅ ତ ? ଏମିତି କହି ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି ବିରୋଧୀ ।
ଆଜି ବିଜେଡି ବିଧାୟକ ଅରୁଣ ସାହୁ ସାମ୍ବାଦିକଙ୍କୁ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ଲୋକପ୍ରିୟ ନେତା । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଶାସନ କରି ଆସିଛନ୍ତି । ଖାଲି ଓଡିଶା ନୁହେଁ, ସାରା ଭାରତବାସୀ ତାଙ୍କୁ ଜାଣନ୍ତି,ଶ୍ରଧା କରନ୍ତି । ତାଙ୍କର ଅମାୟିକ ବ୍ୟକ୍ତିତ୍ୱ, ଭଦ୍ରତା ରାଜନୈତିକ ଇତିହାସରେ ଉଦାହରଣ ସୃଷ୍ଟି କରିଛି । ହେଲେ ତାଙ୍କୁ ଗିରଫ କରିବା ପାଇଁ ସରକାର ବିଧାନ ସଭାରେ କହି ଭବିଷ୍ୟତ ପାଇଁ ଏକ ଭୁଲ ବାର୍ତ୍ତା ଦେଇଛନ୍ତି। ତେଣୁ ଏହାକୁ ବିବରଣୀରୁ ବାଦ ଦିଆଯାଉ ବୋଲି କହିଛନ୍ତି ଅରୁଣସାହୁ ।
ସେ ଏକଥା ମଧ୍ୟ କହିଛନ୍ତି, ଯେଉଁ ବହି କଥା ସରକାର କହୁଛନ୍ତି ସେ ବହିରେ ମଧ୍ୟ ଏକଥା କେଉଁଠି ଉଲ୍ଲେଖ ନାହିଁ । ତେଣୁ ଏହାକୁ ବିବରଣୀରୁ ବାଦ ଦିଆଯାଉ ଏବଂ ଯଦି ଉତ୍ସାହିତ ହୋଇ କହି ଦେଇଛନ୍ତି ତେବେ ଏଥିପାଇଁ କ୍ଷମା ମାଗନ୍ତୁ । ଯଦି ଏହା ନ କରିବେ ତେବେ ଯାହା କହିଛନ୍ତି କରି ଦେଖାନ୍ତୁ । ସାହସ ଅଛି ଯଦି ନବୀନ ପଟ୍ଟନାୟକଙ୍କୁ ଗିରଫ କରି ଦେଖନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଅରୁଣ ସାହୁ ।