ରାଉରକେଲା : ବିଶ୍ୱସ୍ତରୀୟ ସ୍ମାର୍ଟସିଟି ପୁରସ୍କାରପ୍ରାପ୍ତ ରାଉରକେଲା ଏବେ ହରାଇ ବସିଛି ଏହାର ସୌନ୍ଦର୍ଯ୍ୟ। ହକି ବିଶ୍ୱକପ ବେଳର ସେ ଚକଚକିଆ ପ୍ରକଳ୍ପ, ରାସ୍ତାଘାଟ, ସବୁଜିମା ଏବେ ସବୁ ନଷ୍ଟ ହେବାରେ ଲାଗିଛିl ଏବେ ଷ୍ଟିଲସିଟିବାସୀଙ୍କ ମନକୁ ଭାଙ୍ଗିଦେଇଛି ଏପରି ପରିସ୍ଥିତି । କେବଳ ଯେ ରଙ୍ଗ ଛାଡ଼ିଯାଉଛି ତାହା ନୁହେଁ ବରଂ ସ୍ମାର୍ଟସିଟି ମାନ ବି ଧୀରେ ଧୀରେ ଖସିବାରେ ଲାଗିଛି । ଏବେ ରାଉରକେଲାର ଅବସ୍ଥା ଦେଖିଲେ ଲାଗୁଛି ଯେପରି ରେକର୍ଡ ନିଶାର ମୋହରେ ରାଜ୍ୟ ସରକାର ଖର୍ଚ୍ଚ କରିଥିବା କୋଟି କୋଟି ଟଙ୍କା ସତେ ଯେମିତି ପାଣିରେ ପଡ଼ିଛି । ସରକାରଙ୍କ ଏପରି ଦାୟିତ୍ୱହୀନତାକୁ ଦେଖି ଶେଷରେ ମୁହଁ ଖୋଲିଛନ୍ତି ସହରବାସୀ। ରାଉରକେଲା ସହରକୁ ବିଶ୍ଵସ୍ତରରେ ପହଞ୍ଚାଇବା ପାଇଁ ଗତ 7 ମାସ ତଳେ ହକି ବିଶ୍ୱକପ ସମୟରେ ଛିଡ଼ା ହୋଇଥିବା ଆଖି ଝଲସା ପ୍ରକଳ୍ପଗୁଡ଼ିକ ଏବେ ଭାଙ୍ଗିରୁଜ୍ଜି ନଷ୍ଟ ହେଲାଣି ।
ସହରର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଲଗାଯାଇଥିବା ଗଛଲତାର ଦେଖାଶୁଣା ଅଭାବରୁ କେଉଁ ଗଛ ମାଟିରେ ଲୋଟୁଛି ତ ଆଉ କେଉଁ ଗଛର ପତ୍ର ଝଡ଼ି ଝାଉଁଳିଗଲାଣି। ଅନେକ ପାଇନ ଗଛ ସେତେବେଳେ ଲଗାଯାଇଥିଲା l ପ୍ରତି ପାଇନ ଗଛ ପିଛା ପ୍ରାୟ ହଜାରେ ଟଙ୍କା ଖର୍ଚ୍ଚ କରି ଲଗାଯାଇଥିଲା ଗଛଗୁଡ଼ିକ । ହେଲେ ୬ ମାସ ବି ଗଲାନି ସେସବୁ ନଷ୍ଟ ହେବ ପାଇଁ l ଏହାକୁ ନେଇ ବୋହୁମାତ୍ରାରେ ଜନଅସନ୍ତୋଷ ଦେଖାଦେଇଛି।
କେନ୍ଦ୍ର ସରକାରଙ୍କ ସ୍ମାର୍ଟସିଟି ଯୋଜନା ହେଉ କିମ୍ବା ଜିଲ୍ଲା ଖଣିଜ ପାଣ୍ଠି, ହକି ବିଶ୍ୱକପ ସମୟରେ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଇଥିଲା l ଏହି ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିଲା ଏକାଧିକ ପ୍ରକଳ୍ପ। ନୂତନ ହକି ଷ୍ଟାଡିୟମ ମଧ୍ୟ ନିର୍ମାଣ କରାଯାଇଥିଲା l କିନ୍ତୁ ଏବେ କେତେବେଳେ ସେ ହକି ଷ୍ଟାଡିୟମରୁ ପାଣି ଗଳୁଛି ତ ପୁଣି କେତେବେଳେ ଷ୍ଟାଚ୍ୟୁ ଗଳିପଡ଼ିଲାଣି । ଏମିତି ଅନେକ ପ୍ରକାର ଦୃଶ୍ୟ ଆଖି ସାମ୍ନାକୁ ଆସିଛିl ଏବେ ରାଉରକେଲା ସ୍ମାର୍ଟସିଟି ସିଇଓ ତଥା ଆରଏମସି କମିଶନରଙ୍କ କହିବା ଅନୁସାରେ ବର୍ଷା ପବନ ଯୋଗୁଁ କିଛି ଗଛ ଭାଙ୍ଗି ମରିଯାଇଛି। ତେଣୁ ଏବେ ପୁନରୁଦ୍ଧାର ପାଇଁ ଉଦ୍ୟମ ଚାଲିଛି। ହେଲେ ଅପରପକ୍ଷରେ ସହରବାସୀ କିନ୍ତୁ ଏସବୁକୁ ସଜାଡ଼ିବାରେ କୌଣସି ପ୍ରକାର ସରକାରୀ ଉଦ୍ୟମ ଦେଖିବାକୁ ପାଇନଥିବାରୁ ଆସନ୍ତୋଷ ପ୍ରକାଶ କରିଛନ୍ତି l
ସବୁଜ ସୌନ୍ଦର୍ଯ୍ୟ ହରାଇ ଶ୍ରୀହୀନ ଏବେ ସ୍ମାର୍ଟ ସିଟି ରାଉରକେଲା

