ପୁରୀ: ପୁରୀ ଶ୍ରୀମନ୍ଦିରରେ ଘଟିଛି ଅଘଟଣ l ଆଜି ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସ ଚୋରି ହୋଇଛି । ଚୋରି ପରବର୍ତ୍ତୀ ସମୟରେ ଦାନବାକ୍ସକୁ ନୃସିଂହ ମନ୍ଦିର ପଛପଟୁ ଉଦ୍ଧାର କରିଛି ଜେଟିପି ( ଜଗନ୍ନାଥ ଟେମ୍ପଲ ପୋଲିସ )। ଚୋରି କରିବା ପରେ ଦାନବାକ୍ସଟିକୁ ଦୁର୍ବୃତ୍ତ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଦାନବାକ୍ସ ପାଇବା ପରେ ଜେଟିପି ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛି । ଏବେ ଚୋରି ସମ୍ବନ୍ଧୀୟ କିଛି ସ୍ପଷ୍ଟ ହୋଇ ନାହିଁ। କେତେ ପରିମାଣର ଚୋରି ହୋଇଛି, କେଉଁ ପରିସ୍ଥିତିରେ ଚୋରି ହୋଇଛି ଏବେ ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟପଟେ ଶ୍ରୀଜିଉଙ୍କ ବନକଲାଗି ପ୍ରସଙ୍ଗରେ ଆଜି ନୀତି ସବ କମିଟି ବୈଠକ ବସିବାର ଅଛି। ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି । ବନକଲାଗି ନୀତିକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ଦତ୍ତ ମହାପାତ୍ର ଗତକାଲି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସଂମ୍ପୃକ୍ତ ସେବକ । ତେଣୁ ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରି ନଥିବାରୁ ଆଜି କମିଟିର ବୈଠକ ଡକାଯାଇଛି। ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଉଲ୍ଲେଖ ରହିଛି ଯେ, ପ୍ରତ୍ୟେକ ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ଦ୍ୱିପହର ଧୂପ ପରେ ବନକଲାଗି ନୀତି କରାଯିବ । ମାତ୍ର ବନକଲାଗି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା । ହେଲେ ଦତ୍ତମହାପାତ୍ର ନିଯୋଗ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ଅଛନ୍ତି । ଏସବୁ ବିବାଦରେ ଏଯାଏଁ ବନକଲାଗି ନୀତି ହୋଇପାରିନାହିଁ l ଅନ୍ୟପଟେ ଏବେ ଦାନବାକ୍ସ ମଧ୍ୟ ଚୋରି ହେଇଛି l ତେଣୁ ଲୋକଙ୍କ କହିବା ଅନୁଯାୟୀ ଏହା ନିହାତିଭାବେ କିଛି ଅଶୁଭ ସୂଚନାକୁ ଦର୍ଶାଉଛି l
ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସ ଚୋରି

