ପୁରୀ: ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ନେଇ ଜୋର ଧରିଛି ଦାବି ।ପୁରୀ ବାସିନ୍ଦାଙ୍କ କହିବା ଅନୁଯାୟୀ ଏବେ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ରହିଛି। ଅନ୍ୟ ୩ଟି ଦ୍ଵାରରେ ଲାଗିଛି କଟକଣା। ତେଣୁ ଦିନକୁ ଦିନ ଭିଡ଼ ବଢିବାରୁ ଲାଇନ୍ ଲମ୍ବା ହେଇ ଚାଲିଛି । ଡହ ଡହ ଖରା ହେଉ ଅବ ବର୍ଷା ଠାକୁରଙ୍କୁ ଦର୍ଶନ କରିବା ପାଇଁ ନିଇତି ଦହଗଞ୍ଜ ହେଉଛନ୍ତି ଭକ୍ତମାନେ । ରଥଯାତ୍ରା ପରେ ଚାରି ଦୁଆର ଖୋଲିବା ନେଇ ସମନ୍ୱୟ ବୈଠକରେ ଆଲୋଚନା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କିଛି ହୋଇ ନାହିଁ। କେବଳ ସିଂହ ଦ୍ଵାର ଛଡ଼ା ଅନ୍ୟ କୌଣସି ଦ୍ଵାର ଦେଇ ଭକ୍ତଙ୍କୁ ଛଡ଼ା ଯାଉନଥିବାରୁ ତେଜୁଚି ଆନ୍ଦୋଳନ । ଇତି ମଧ୍ୟରେ ଚାରି ଦୁଆର ଖୋଲିବା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଶୀଘ୍ର ଚାରିଦ୍ୱାର ନଖୋଲିଲେ ଆନ୍ଦୋଳନ ଜୋରଦାର କରିବାକୁ ସେବାୟତ ଓ ପୁରୀ ବାସିନ୍ଦା ଚେତାବନୀ ମଧ୍ୟ ଦେଇଛନ୍ତି ।
ପୁରୀ ବାସୀଙ୍କ ଅଭିଯୋଗ ରହିଛି ଯେ ଚାରି ଦୁଆର ନଖୋଲାହେବା ଯୋଗୁଁ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପ୍ରତିଦିନ ପୁରୀ ବାସିନ୍ଦା ମାନେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର କୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। କିନ୍ତୁ ବିଡମ୍ବନା ବିଷୟ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଅନ୍ୟ ଦ୍ବାର ବାଟରେ ଛଡାଯାଉନଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ସେମାନେ।
ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ନେଇ ଦାବି
