ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ ଅନେକ ସଚେତନତା ଏବଂ ଦଣ୍ଡବିଧାନ ସତ୍ତ୍ୱେ ବି ରାଗିଂର ଶିକାର ହେଉଛନ୍ତି ପିଲେ । ଶ୍ରୀଜଗନ୍ନାଥ ମେଡିକାଲ କଲେଜରୁ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ପ୍ରଥମ ବର୍ଷର ଛାତ୍ର ଏ ନେଇ ଅଭିଯୋଗ କରିଛନ୍ତି । ଆଉ ମେଡିକାଲ୍ କଲେଜର ଡିନ ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର କରି ପୁରୀ ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର କିଛି ଛାତ୍ର ପ୍ରଥମ ବର୍ଷର ଛାତ୍ରଙ୍କ ନିଶ ଦାଢିକୁ କାଟି ଦେବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ପ୍ରଥମ ବର୍ଷର ଛାତ୍ର ଅଭିଯୋଗ କରିଥିଲେ । ପ୍ରଥମ ବର୍ଷର ଛାତ୍ର ଜଣକ କଲେଜ ଡିନଙ୍କୁ ଅଭିଯୋଗ ଦେବା ପରେ କଥା ଆଣ୍ଟି ରାଗିଂ କମିଟିକୁ ଯାଇଥିଲା । ଏହା ପରେ କଲେଜ କର୍ତ୍ତୃପକ୍ଷ ଥାନାରେ ଏତଲା ମଧ୍ୟ ଦେଇଥିଲେ। ମେରାଇନ ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ବୋଲି ଏସଡିପିଓ କହିଛନ୍ତି । ତେବେ ଏନେଇ ଶ୍ରୀଜଗନ୍ନାଥ ମେଡିକାଲ କଲେଜ କର୍ତ୍ତୃପକ୍ଷ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ତେବେ ଶିକ୍ଷାର ମନ୍ଦିରରେ ଏହା ହେବା ଜମାରୁ ଗ୍ରହଣୀୟ ନୁହେଁ । ଅନେକ ସମୟରେ ଅନେକ ଛାତ୍ରଛାତ୍ରୀ ଏହି ରାଗିଂ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏନେଇ କିଛି ବି ମୁହଁ ଖୋଲୁ ନାହାନ୍ତି । ଅନେକ ସଚେତନତା ସତ୍ୱେ ବି କାବୁ ହେଇପାରୁନି ରାଗିଂ ସମସ୍ୟା । ପୁଣି ଏହି ରାଗିଂ କ୍ୟାମ୍ପସକୁ ଫେରିଥିବା ଅଭିଯୋଗ । ଜୁନିଅର, ସିନିଅର ଭାଇ ଭାଇ ବଦଳରେ ଶତ୍ରୁ ପାଲଟୁଛନ୍ତି । ବିଦ୍ୟାର୍ଥି ମାନେ ଏହି ସବୁ ଦିନ ଦେଖିବା ଗ୍ରହଣୀୟ ନୁହେଁ । ତେବେ ଶିକ୍ଷାନୁଷ୍ଠାନଗୁଡିକରେ ଏହି ସବୁ ଏବେ ବଡ ସମସ୍ୟା ହେଲାଣି । ସଭ୍ୟ ସମାଜରେ ଅସଭ୍ୟତା ମୁଣ୍ଡ ଟେକି ଠିଆ ହେଲେଣି । ଏହା ଯଦି ଏବେ ଠାରୁ ବନ୍ଦ ନ ହୁଏ ଆଗକୁ ବିରାଟ ବିଭ୍ରାଟ ଆରମ୍ବ କରିବ । ଏହି ରାଗିଂକୁ ରୋକିବାକୁ ସରକାର ସମସ୍ତ ପଦକ୍ଷେପ ନେଲେ ବି ଏହା ଥମିବାର ନାମ ଧରୁନି । ଏପରିକି ଏହା ଉତ୍କଟ ସମସ୍ୟା ଭାବରେ ମୁଣ୍ଡ ଟେକି ଠିଆ ହେଲାଣି ।
ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ
