ଆସିଲା ନୂଆ ଯୋଜନା ଭୁବନେଶ୍ଵର: ଆଜି (ଶୁକ୍ରବାର) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଶେଷ ହୋଇଛି । ତେବେ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୯ଟି ପ୍ରସ୍ତାବରେ ମୋହର ବାଜିଛି । ଆଜିର କ୍ୟାବିନେଟ୍ ବୈଠକରେ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ଯୋଜନା ଉପରେ କ୍ୟାବିନେଟ ମୋହର ମାରିଛି । ଏହି ଯୋଜନାରେ ଯୁବକ ଓ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ । ପ୍ରତିବର୍ଷ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ । ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ ଏହି ଦକ୍ଷତା ବିକାଶ ତାଲିମ । ଏଥିପାଇଁ ୩୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସରକାରୀ ଦକ୍ଷତା ଓ ଶିକ୍ଷାନୁଷ୍ଠାନ ଜରିଆରେ ଏହି ତାଲିମ ଦିଆଯିବ । ଏହାଦ୍ଵାରା ରାଜ୍ୟରୁ ବେକାରୀ ସମସ୍ୟାକୁ ମଧ୍ୟ ଦୂର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗ କୁ ପ୍ରୋତ୍ସାହିତ, ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସାହାୟକ ହେବ । ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡ଼ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୁବକ ଯୁବତୀ ମାନଙ୍କ ପାଇଁ ଡିଜିଟାଲ ଓ ଇ ପାଠ୍ୟକ୍ରମ ରଖାଯିବ । ରାଜ୍ୟର ୩୦ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ । ସେହିଭଳି ରାଜ୍ୟାର ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ଲ୍ୟାବ ଓ ସୁଦୃଢ ଦକ୍ଷତା ପରିବେଶ ପ୍ରତିଷ୍ଠା ହେଲେ ସ୍କିଲ୍ଡ-ଇନ୍-ଓଡ଼ିଶା ବ୍ରାଣ୍ଡକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ । ଏହା ବ୍ୟତିତ ଏହି ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ନାଇଜର ପରିସରରେ କ୍ୟାନସର ହସ୍ପିଟାଲ ହେବ । ଟାଟା ମେମୋରିଆଲ ପକ୍ଷରୁ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏଥିପାଇଁ ସରକାର ୪୮.୮୪୨ ଏକର ଜମି ପ୍ରଦାନ କରିବେ । ସେହିପରି ଅସ୍ତରଙ୍ଗ, ଗୋପ, କାକଟପୁରରେ ପାନୀୟ ଜଳ ପ୍ରକଳ୍ପ ହେବ । ସେହିପରି ଆହୁରି ଆଗେଇବ ମିଲେଟ ମିଶନ । ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଯୋଜନାକୁ ମଧ୍ୟ ମଞ୍ଜୁର ମିଳିଛି । ଏଥିପାଇଁ କ୍ୟାବିନେଟରୁ ଅର୍ଥ ମଞ୍ଜୁର କରାଯିବ । ଓଡ଼ିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ନୀତିରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ବ୍ୟାଙ୍କ ଶାଖା ନଥିବା ପଞ୍ଚାୟତକୁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା । ୪୩୭୩ ପଞ୍ଚାୟତରେ ଖୋଲିବ ବ୍ୟାଙ୍କିଙ୍ଗ ଆଉଟଲେଟ । ଖୁବଶୀଘ୍ର ଏସବୁ ସେବା ମିଳବ। ଲୋକମାନେ ଘର ପାଖରେ ଟଙ୍କା ଦେଣନେଣ କରିପାରିବେ । ଆଇଟି ବିଭାଗ ପକ୍ଷରୁ ବ୍ୟାଙ୍କି ସେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏ ନେଇ ଆଜି କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ସେହିପରି ଓଡ଼ିଶା ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ପଲିସି ୨୦୨୩ ଗଠନକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ରୁଲକୁ ମଞ୍ଜୁରୀ ମିଳିଛି । ଅନୁସୂଚିତ ଜାତି ଜନଜାତିଙ୍କ ନିଯୁକ୍ତି ସମ୍ପର୍କିତ ଅଧ୍ୟାଦେଶକୁ ମଧ୍ୟ ମଞ୍ଜୁରୀ ମିଳିଛି । ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ପାଇଁ ଅଧ୍ୟାଦେଶ ଆସିଛି । ତେବେ ଆଜିର କ୍ୟାବିନେଟ ବୈଠକ ଓଡିଶା ପାଇଁ ବହୁତ ଗୁରୁତ୍ୱପୂର୍ଣ ଥିଲା l ଓଡ଼ିଶାର ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀ ଅନେକ କିଛି କରିଛନ୍ତି l ଆଗକୁ ମଧ୍ୟ ଓଡିଶା ବାସୀଙ୍କ ପାଇଁ ଏପରି ଅନେକ ଯୋଜଜା କରାଯିବ ବୋଲି ଆଶା ରଖାଯାଉଛି l