
ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ମାମଲାରେ ବଢ଼ିବାରେ ଲାଗିଛି ସସପେନ୍ସ କଟକ ରୋଡ୍ ହୋଟେଲ ଦୀପାଳୀ ଇଣ୍ଟରନାସନାଲ୍ ରେ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ସସପେନ୍ସ ଦିନକୁ ଦିନ ବଢିବାରେ ଲାଗିଛି । ଦିନ ପରେ ଦିନ ଗଡ଼ିବା ସହ ଏହା ପଛର କାହାଣୀ ଲମ୍ବି ଚାଲିଛି । ପୋଲିସ୍ କୁ ପ୍ରାଥମିକ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଘଟଣାଟି ଏକ ନୂଆ ମୋଡ଼ ନେଇଛି । ପ୍ରାଥମିକ ବ୍ୟବଛେଦ ରିପୋର୍ଟ ଅନୁସାରେ ଶରୀରର କିଛି ଅଂଶ ପଚି ଯାଇଥିବା ସୂଚନା ମିଳିଛି । ଏହାର ଅର୍ଥ ରୁମ ନମ୍ବର ୨୦୫ ରେ ଅତି କମରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ପଡ଼ି ରହିଥିବ l ଅତି କମରେ ଗୋଟିଏ ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବ l କିନ୍ତୁ ହୋଟେଲ କର୍ମଚାରୀଙ୍କ ବୟାନ ଏବଂ ରିପୋର୍ଟର ତଥ୍ୟର ମେଳ ହେଉନାହିଁ । ଯାହାକି ଘଟଣାକୁ ସନ୍ଦେହ ଘେରକୁ ଟାଣି ଆଣିଛି l ଘଟଣା ପୂର୍ବଦିନ ରାତି ସାଢେ 3ଟାରେ ଶୁଭଲକ୍ଷ୍ମୀ ହୋଟେଲରେ ଚେକ୍ ଇନ୍ କରିଥିବା କହୁଛନ୍ତି ହୋଟେଲ କର୍ମଚାରୀ । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ କହୁଛି ମୃତ୍ୟୁକୁ ୨୪ ଘଣ୍ଟାରୁ ଅଧିକ ହୋଇସାରିଛି । ଏହାକୁ ନେଇ ପୋଲିସ୍ ର ସନ୍ଦେହ ବଢିବାରେ ଲାଗିଛି । ତେବେ କେତେଦିନ ଧରି ମୃତଦେହ ଝୁଲି ରହିଥିଲା ସେ ନେଇ ସନ୍ଦେହ ବଢିଛି । ଏହା ସହ ଶୁଭଲକ୍ଷ୍ମୀଙ୍କ ଶରୀରରେ ନିଶାଦ୍ରବ୍ୟ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି । ଯଦି ଶୁଭଲକ୍ଷ୍ମୀ ନିଶା ଖାଇଥିଲେ, ତେବେ ସେ ଏକା ଖାଇଥିଲେ ନା ତାଙ୍କୁ ସହ ଆଉ କିଏ ଦେଇଥିଲେ l ସେ ନିଜେ ଆତ୍ମହତ୍ୟା କରିଛନ୍ତି ନାଁ ଆଉ କିଏ ତାଙ୍କର ହତ୍ୟା କରିଛି l ଏଭଳି ଅନେକ ପ୍ରଶ୍ନ ମଧ୍ୟ ରହସ୍ୟ ଘେରରେ ରହିଛି । ସେପଟେ ପ୍ରେମ ବ୍ୟାପାର ଦିଗକୁ ମଧ୍ୟ ଖୋଲତାଡ଼ କରୁଛି ପୋଲିସ୍ । ବାର୍ ର ଜଣେ କର୍ମଚାରୀଙ୍କ ସହ ଶୁଭଲକ୍ଷ୍ମୀଙ୍କର ସମ୍ପର୍କ ଥିଲା ବୋଲି ମଧ୍ୟ ଜଣାପଡ଼ିଛି । ତାଙ୍କୁ ଗତକାଲି ପୋଲିସ୍ ପଚରାଉଚୁରା ମଧ୍ୟ କରିଛି । ଏହି ସବୁ ମଧ୍ୟରେ ଆଉ ଏକ ସସପେନ୍ସ ସାମ୍ନାକୁ ଆସିଛି । କୌଣସି ଏକ ଭାଇରାଲ ଭିଡ଼ିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁଭଲକ୍ଷ୍ମୀଙ୍କ ଜଣେ ବାନ୍ଧବୀଙ୍କ ଅନୁଯାୟୀ, କୌଣସି ଏକ ଭାଇରାଲ ଭିଡ଼ିଓ ପାଇଁ ଶୁଭଲକ୍ଷ୍ମୀ ଗତ କିଛି ଦିନ ହେବ ଅବସାଦରେ ରହୁଥିଲେ । ତେବେ ସେ ଭିଡ଼ିଓ କଣ ଥିଲା, ତାଙ୍କର କୌଣସି ଅନ୍ତରଙ୍ଗ ମୁହୂର୍ତ୍ତ ଭିଡ଼ିଓକୁ ନେଇ ତାଙ୍କୁ କେହି ବ୍ଲାକମେଲ୍ କରୁନଥିଲେ ତ ? ଏଭଳି କିଛି ପ୍ରଶ୍ନ ଏବେ ଉଙ୍କି ମାରିଛି । ଏହା ସହ ବର୍ଷେ ଧରି ଭୁବନେଶ୍ବରରେ ରହି ପଢୁ ଥିଲେ ମଧ୍ୟ ସେ କେଉଁଠି ରହୁଥିଲେ ପରିବାର ଲୋକେ କିଭଳି ଜାଣି ନଥିଲେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଅନ୍ତିମ ଶବ ବ୍ୟବଛେଦ ରିପୋର୍ଟ ଏବଂ ମୋବାଇଲର ସିଡ଼ିଆର ଆସିବା ପରେ ଅନେକ ପ୍ରଶ୍ନରୁ ପରଦା ହଟିବ ବୋଲି ଆଶା କରାଯାଉଛି।