Site icon UTKAL PRATIDIN

ଲାଇଟ୍ ହାଉସ୍ କଂପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି

photo_6201656918720760590_x

ଭୁବନେଶ୍ୱର : ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନରେ ରାଜଭବନରୁ ବାହାରି ଟମାଣ୍ଡୋ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରରେ ପହଞ୍ଚି ଲାଇଟ୍ ହାଉସ୍ କଂପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ସେଠାରେ ରାଷ୍ଟ୍ରପତି ମୁର୍ମୁଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଉପସ୍ଥିତ ରହିଥିଲେ । ରାଷ୍ଟ୍ରପତିଙ୍କ ନିମନ୍ତେ ସେଠାରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ରାଷ୍ଟ୍ରପତି ମୁର୍ମୁଙ୍କୁ ସ୍ୱାଗତ କରାଯାଇଥିଲା l ଏହା ପରେ ଆଜି ପୁଣି ଆଉ ୧୦ଟି ଆଦିମ ଜନଜାତି ଗ୍ରୁପର ୫୦ଜଣଙ୍କ ସହ ବୈଠକ କରିବେ l ରାଜ୍ୟରେ ମୋଟ ୧୩ଟି ଆଦିମ ଜନଜାତି ଥିବାବେଳେ ପୂର୍ବରୁ ମୟୁରଭଞ୍ଜରେ ୩ଟି ଗ୍ରୁପ ସହ ଆଲୋଚନା କରିସାରିଛନ୍ତି । ଆଜି କାର୍ଯ୍ୟକ୍ରମ ସାରି ସଂଧ୍ୟାରେ ଦିଲ୍ଲୀ ଫେରିଯିବେ ମହାମହିମ । ତେବେ ରାଷ୍ଟ୍ରପତିଙ୍କ ନିମନ୍ତେ ଏବେ ବ୍ୟାପକ ପ୍ରସ୍ତୁତି ସହ ଚଳଚଞ୍ଚଳ ରାଜଧାନୀ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ପ୍ରଥମେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଚଣ୍ଡି ମନ୍ଦିରରେ ପହଞ୍ଚି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ।ଏହା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟପରିଦର୍ଶନ କରି ମଧୁବାବୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇଥିଲେ। ପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ଏସସିବି ମେଡିକାଲ କଲେଜ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ। ନିଜ ମହାନତାର ପରିଚୟ ଦେଇ ଭିଭିଆଇପି ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ପ୍ରୋଟକଲ ଭାଙ୍ଗିଥିଲେ ରାଷ୍ଟ୍ରପତି । ଗାଡ଼ିରୁ ଓହ୍ଳାଇ ରାସ୍ତାରେ ପିଲାଙ୍କୁ ଭେଟିବା ସହ ଚକୋଲେଟ୍ ଦେଇଥିଲେ । ଏହି ସମୟରେ କୁନି କୁନି ପିଲାଙ୍କ ସହ କଥା ହୋଇ ଭବିଷ୍ୟତ ଗଠନ ଉପରେ ପରାମର୍ଶ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲିର ଏତିକି କାର୍ଯ୍ୟକ୍ରମ ପରେ ଆଜି ପୁଣି ସଖାଳୁ ବ୍ରହ୍ମାକୁମାରୀ କେନ୍ଦ୍ରକୁ ଯାଇ ସେଠାରେ ଲାଇଟ ହାଉସ କଂପ୍ଲେକ୍ସର ଶିଳାନ୍ୟାସ କରିଛନ୍ତିl ଏହାପରେ ୧୦ଟି ଆଦିମ ଜନଜାତି ଗ୍ରୁପର ୫୦ଜଣଙ୍କ ସହ ବୈଠକ କରିବା ପରେ ଆଜି ସଂଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ମହାମହିମ ରାଷ୍ଟ୍ରପତି l

Exit mobile version