ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବପୀଠ ଏକାମ୍ରକ୍ଷେତ୍ରର କପିଳେଶ୍ୱର ମନ୍ଦିରକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ‘ରାଷ୍ଟ୍ରୀୟ ମହତ୍ତ୍ୱ ସ୍ମାରକୀ’ ଘୋଷଣା କରିଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଟ୍ୱିଟର ହାଣ୍ଡେଲ୍ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଘୋଷଣା ପତ୍ରକୁ ଅପ୍ଲୋଡ କରିବା ସହ ଶେଷରେ କପିଳେଶ୍ୱର ମନ୍ଦିର ଭାରତୀୟ ପ୍ରତ୍ନତତ୍ତ୍ବ ସର୍ଭେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀନକୁ ଯାଇଥିବାରୁ ସେ ବହୁତ ଖୁସି ବୋଲି ବ୍ୟକ୍ତ କରିଛନ୍ତି । ମନ୍ଦିର ସେବାୟତ ଓ ଏକାମ୍ରକ୍ଷେତ୍ରର ବାସିନ୍ଦାଙ୍କ ଇଚ୍ଛା ପୂରଣ ହୋଇଛି ବୋଲି କହିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହ ତାଙ୍କ ଅନୁରୋଧକୁ ସମ୍ମାନ ଦେଇ ଏଏସ୍ଆଇ ଏଭଳି ନିଷ୍ପତ୍ତି ନେଇଥିବାରୁ ସେ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପଟେ ମନ୍ଦିର ସେବାୟତ ଓ ସେଠାକାର ବାସିନ୍ଦା ଖୁସିବ୍ୟକ୍ତ କରିବା ସହ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଞ୍ଚଦଶ ଶତାବ୍ଦୀରେ କପିଳେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରରେ ନାନା ସମସ୍ୟା ଦେଖାଦେଇଥିଲା । ମନ୍ଦିର ସୁରକ୍ଷାକୁ ନେଇ ସେବାୟତମାନେ ବାରମ୍ବାର ଦାବି କରି ଆସୁଥିଲେ। ଏନେଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କପିଳେଶ୍ୱର ମନ୍ଦିର ଦାୟିତ୍ୱ ଏଏସ୍ଆଇ ନେଉ ବୋଲି ଏପ୍ରିଲ ୩ରେ ଚିଠି ଲେଖିବା ସହ ଏହା ପରଦିନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଭେଟି ଦାବି କରିଥିଲେ । ଏହାପରେ ଗତ ମେ’ ୫ରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସ୍ମାରକୀ ଘୋଷଣାକୁ ନେଇ କାହାର କିଛି ଆପତ୍ତି ବା ପରାମର୍ଶ ଥିଲେ, ଦୁଇ ମାସ ମଧ୍ୟରେ ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ଜଣାଇବାକୁ କୁହାଯାଇଥିଲା। ତେବେ ଏହି ସମୟ ମଧ୍ୟରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ କୌଣସି ଆପତ୍ତି ଅଭିଯୋଗ ହୋଇନଥିଲା । ଫଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହାକୁ ‘ରାଷ୍ଟ୍ରୀୟ ମହତ୍ତ୍ୱ ସ୍ମାରକୀ’ ଘୋଷଣା କରାଯାଇଛି । ତେବେ ତୁରନ୍ତ ମନ୍ଦିରର ପୁନରୁଦ୍ଧାର କରିବା ଭାରତ ପର୍ଯ୍ୟଟନ ମାନଚିତ୍ରରେ କପିଳେଶ୍ୱର ମନ୍ଦିରକୁ ସ୍ଥାନ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ସେବାୟତମାନେ ଦାବି କରିଛନ୍ତି । ତେବେ ଖୁବ ଶୀଘ୍ର ଏ ଦାବି ମଧ୍ୟ ପୂରଣ ହେବ ବୋଲି ସମସ୍ତେ ଖୁବ ଆଶାୟୀ l
ରାଷ୍ଟ୍ରୀୟ ମହତ୍ତ୍ୱ ସ୍ମାରକୀ ମାନ୍ୟତା ପାଇଲା କପିଳେଶ୍ୱର ମନ୍ଦିର
