UTKAL PRATIDIN

ରାତି ହେଲେ ଶୋଇବେ ବିକ୍ରମ ଓ ପ୍ରଜ୍ଞା !

ଚନ୍ଦ୍ରରେ ଏବେ ଧୀରେ ଧୀରେ ସୂର୍ଯ୍ୟର ଆଲୋକ କମ ହୋଇ ରାତି ହେବାକୁ ଯାଉଛି l ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଚନ୍ଦ୍ରରେ ସୂର୍ଯ୍ୟର ଆଲୋକ କମ ହେବା କାରଣରୁ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ଉଭୟଙ୍କୁ ସ୍ଲିପ ମୋଡରେ ରଖିବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅର୍ଥାତ ଚନ୍ଦ୍ରରେ ଥିବା ଚନ୍ଦ୍ରଯାନ-୩ ମିଶନର ଉଭୟ ଅଂଶ ଶାନ୍ତିରେ ଶୋଇବାକୁ ପ୍ରସ୍ତୁତ ଅଛନ୍ତି । ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଭାରତର ପ୍ରଥମ ସୂର୍ଯ୍ୟ ମିଶନର ସଫଳ ଲଞ୍ଚ ପରେ ଏହାର ଘୋଷଣା କରିଛନ୍ତି ।

ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଶନିବାର କହଛନ୍ତି ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରଯାନ-୩ର ରୋଭର ଏବଂ ଲ୍ୟାଣ୍ଡର ସଠିକ ଭାବେ କାମ କରୁଛି ଏବଂ ଯେହେତୁ ଚନ୍ଦ୍ରରେ ଏବେ ରାତି ହୋଇଯିବ ଏଥିପାଇଁ ଏହାକୁ ନିଷ୍କ୍ରିୟ କରାଯିବ । ସୋମନାଥ କହିଛନ୍ତି ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଏବେ ବି କାମ କରୁଛନ୍ତି । ସେ କହିଛନ୍ତି ଯେ, ଭଲ ଖବର ଏହା ଯେ ଲ୍ୟାଣ୍ଡରରୁ ରୋଭର ଅତିକମରେ ୧୦୦ ମିଟର ଦୂରତା ନିର୍ଦ୍ଧାରିତ କରିସାରିଛି ଏବଂ ଆମେ ଆସନ୍ତା ଗୋଟିଏ କିମ୍ବା ଦୁଇଦିନରେ ଉଭୟଙ୍କୁ ନିଷ୍କ୍ରିୟ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛୁ, କାରଣ ସେଠାରେ ରାତି ହେବାକୁ ଯାଉଛି ।

ସୂଚନା ଅନୁସାରେ ୧୪ ଜୁଲାଇ ୨୦୨୩ରେ ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଲଞ୍ଚ କରାଯାଇଥିବା ଚନ୍ଦ୍ରଯାନ-୩ ଭାରତକୁ ଚନ୍ଦ୍ରପୃଷ୍ଠରେ ସଫଳତାପୂର୍ବକ ଅବତରଣ କରିବାରେ ଚତୁର୍ଥ ଦେଶ ଏବଂ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ପାଖରେ ଅବତରଣ କରିବରେ ପ୍ରଥମ ଦେଶ ବନାଇଥିଲା । ମିଶନର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ପାଣିର ଅନ୍ୱେଷଣ କରିବା ଏବଂ ଚନ୍ଦ୍ର ପୃଷ୍ଠର ବିଶେଷତ୍ୱକୁ ଅଧ୍ୟୟନ କରିବା । ଏହା ପୂର୍ବରୁ ଇସ୍ରୋ କହିଥିଲା ଯେ ଚନ୍ଦ୍ରଯାନ-୩ ମିଶନର ରୋଭର ପ୍ରଜ୍ଞାନରେ ଲାଗିଥିବା ଅନ୍ୟ ଏକ ଉପକରଣ ମଧ୍ୟ ଭିନ୍ନ ଏକ ଜ୍ଞାନକୌଶଳର ଉପଯୋଗ କରି ଚନ୍ଦ୍ରରେ ସଲଫରର ଉପସ୍ଥିତି ନେଇ ଅନୁସନ୍ଧାନ କରିଥିଲା । ଏଥି ସହିତ ଅନ୍ୟ କିଛି ଏଲିମେଣ୍ଟ ଥିବା ନେଇ ମଧ୍ୟ ଲ୍ୟାଣ୍ଡର ସନ୍ଧାନ ପାଇଥିଲା । ଚନ୍ଦ୍ରର ଅନୁସନ୍ଧାନରେ ଭାରତର ଚନ୍ଦ୍ରଯାନ-୩ ମିଶନ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ୧୦୦ ମିଟର ଦୂରତା ନିର୍ଦ୍ଧାରିତ କରିଛି । ଏହି ଉପଲବ୍ଧି ଆଜି ଆସିଛି l

ଏହା ସହ ଉଭୟଙ୍କୁ ସ୍ଲିପ ମୋଡ଼ ତଥା ନିଷ୍କ୍ରିୟ କରିବା ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି l ଅଗଷ୍ଟ ୨୩ ତାରିଖ ଦିନ ଚନ୍ଦ୍ରୟାନ ୩ ସଫଳ ଅବତରଣ କରିବା ପରେ କୁହା ଯାଇଥିଲା କି ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ୧୪ ଦିନ ପାଇଁ ବିଚରଣ କରିବ l କାରଣ ୧୪ ଦିନ ପରେ ଚନ୍ଦ୍ରରେ ରାତି ହେବାର ଥିଲା l ଏବେ ସେହି ରାତିର ସମୟ ନିକଟବର୍ତ୍ତୀ ହୋଇ ଆସିଥିବାରୁ ବିକ୍ରମ ଓ ପ୍ରଜ୍ଞା ଉଭୟଙ୍କୁ ସ୍ଲିପ ମୋଡ଼କୁ ଅଣାଯିବାକୁ ଯାଉଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି l

Exit mobile version