ରାଉରକେଲା ସ୍ଥିତ ଏନଆଇଟିରେ ଜୁନିଅର ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ପରୀକ୍ଷା ଚାଲୁଥିବା ବେଳେ ଧରାପଡ଼ିଛନ୍ତି ୪ ନକଲି ପରୀକ୍ଷାର୍ଥୀ । ଏହି ଚାରି ଅଭିଯୁକ୍ତ ହେଉଛନ୍ତି- ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ ସୁନୀଲ। ଏମାନେ ସମସ୍ତେ ହରିୟାଣା ରାଜ୍ୟର ହୋଇଥିବା ଜଣାପଡିଛି । ଗତକାଲି ପରୀକ୍ଷା ଚାଲିଥିବା ବେଳେ ଏହି ୪ଜଣଙ୍କୁ ସନ୍ଦେହ କରି ଏନଆଇଟି କର୍ତ୍ତୃପକ୍ଷ ଅଟକ ରଖିଥିଲେ। ପରେ ଏନଆଇଟି କର୍ତ୍ତୃପକ୍ଷ ଏନେଇ ସେକ୍ଟର-୩ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଥିଲା l ପରେ ଆଜି ସେମାନଙ୍କୁ ଗିରଫ କରାଯାଇଛି । ତେବେ ସେମାନେ କେଉଁ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ, ବଦଳ ପରୀକ୍ଷାର୍ଥୀ ହେବା ପାଇଁ ସେମାନଙ୍କୁ କେତେ ଟଙ୍କା ମିଳିଥିଲା, ସେ ନେଇ ପୋଲିସ ପକ୍ଷରୁ କିଛି ସୂଚନା ମିଳିନାହିଁ। ତେବେ ଏ ସବୁ ଦିଗ ନେଇ ଏବେ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ଡିଏସ୍ପି ପୁଷ୍ପାଞ୍ଜଳି ଲିଙ୍ଗି କହିଛନ୍ତି।
ରାଉରକେଲା ଏନଆଇଟିରୁ ୪ ନକଲି ପରୀକ୍ଷର୍ଥୀ ଗିରଫ
