ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନୀ ଭଉଣୀ ଆଗକୁ ଆସୁଛି ପବିତ୍ର ରକ୍ଷାବନ୍ଧନ । ସବୁ ଭଉଣୀମାନେ ନିଜ ଭାଇଙ୍କ ହାତରେ ସ୍ନେହ ଓ ପ୍ରୀତିର ବାନ୍ଧନକୁ ବାନ୍ଧିବା ପାଇଁ ଉତ୍ସାହିତ l ରାକ୍ଷୀ କେବଳ ହାତରେ ବନ୍ଧା ହେଉଥିବା ଏକ ସୁତାର ଡୋରି ନୁହେଁ ବରଂ ଏହା ଭାଇ ଭଉଣୀ ଭିତରର ସମ୍ପର୍କର ଡୋରି l ତେବେ ଏହି ଡୋରୀର ମହତ୍ୱକୁ ବଜାୟରଖି ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନର କମାର ମୋସିନ୍ ଶେଖ୍ । ଏଥିପାଇଁ ସେ ହସ୍ତତନ୍ତରେ ନିଜେ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ବିବାହ ପରଠାରୁ ମୋସିନ୍ ଭାରତ ଅହମଦାବାଦରେ ରହିଆସୁଛନ୍ତି । ଗତ ୩୦ ବର୍ଷ ହେବ ସେ ମୋଦିଙ୍କୁ ରାଖି ବାନ୍ଧୁଛନ୍ତି । ଏହି ଥର ମଧ୍ୟ ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ରାଖି ବାନ୍ଧିବେ ବୋଲି ଜଣାପଡିଛି । ତେବେ ଏହାରି ମଧ୍ୟରେ ବେଆଇନ୍ ଭାବେ ପାକିସ୍ତାନରୁ ଆସିଥିବା ମହିଳା ସୀମା ହାଇଦର ମଧ୍ୟ ଏଥିରେ ପଛରେ ରହି ନାହାନ୍ତି । ସୀମା ମଧ୍ୟ ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଓ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇଛନ୍ତି । କେବଳ ମୋଦୀଙ୍କୁ ନୁହେଁ, ଯୋଗୀ ଆଦିତ୍ୟନାଥ, ରାଜନାଥ ସିଂ, ଅମିତ ଶାହା ଓ ମୋହନ ଭାଗବତଙ୍କ ସମେତ ବହୁ ପ୍ରମୁଖ ନେତାଙ୍କୁ ସୀମା ରାକ୍ଷୀ ପଠାଇଛନ୍ତି । ଯାହାର ଏକ ଭିଡିଓ ଜାରି କରି ଖୁବ ଖୁସି ଅଛନ୍ତି ସୀମା । ଭିଡିଓରେ ରାକ୍ଷୀ ପଠାଇଥିବା ନେଇ କହିବା ସହ ଦେଶର ଦାୟିତ୍ୱ ଏହି ପ୍ରମୁଖ ବ୍ୟକ୍ତିଙ୍କ କାନ୍ଧରେ ରହିଛି ବୋଲି କହିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ରାକ୍ଷୀ ପହଞ୍ଚିବା ନେଇ ସେ ଆଶା ରଖିଛନ୍ତି । ତେବେ ଖୁବ ଉତ୍ସାହ ଓ ଉତ୍ସୁକତାର ସହିତ ସାରା ଦେଶ ଏବେ ରାକ୍ଷୀ ପୁର୍ଣିମା ଭଳି ପବିତ୍ର ଅବସରର ଅପେକ୍ଷା କରିଛି l