
ନୂଆଦିଲ୍ଲୀ:ପଶ୍ଚିମ ବଙ୍ଗର ଜଣେ ମେୟରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଧର୍ମୀୟ ରାଜନୀତି । ମେୟରଙ୍କ ଏପରି କଥାକୁ କଡା ସମାଲୋଚନା କରିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପି ବିଧାୟିକା ଅଗ୍ନିମିତ୍ରା ପାଲ ସିଧାସଳଖ ମମତାଙ୍କୁ ଟାର୍ଗେଟ କରିଛନ୍ତି।
କୋଲକାତା ମେୟର ଫିରହାଦ ହାକିମ ଏକ କାର୍ଯ୍ୟକ୍ରମରେ ବିବାଦୀୟ ବୟାନ ଦେଇ କହିଛନ୍ତି, ମୁଁ ମୁସଲମାନ ହୋଇଥିବାରୁ ବହୁତ ଭାଗ୍ୟଶାଳୀ । ଯେଉଁମାନେ ଅନ୍ୟ ଧର୍ମରେ ଜନ୍ମ ନେଇଛନ୍ତି ସେମାନେ ବହୁତ ଦୁର୍ଭାଗ୍ୟଶାଳୀ । ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟିକା ଅଗ୍ନିମିତ୍ରା ପାଲ ।
ସେ କହିଛନ୍ତି, ଫିରହାଦ ଜଣେ ମେୟର ଏବିଂ ସେ ମମତାଙ୍କ ଟିଏମସି ପାର୍ଟିର ସଦସ୍ୟ । ଏକ ଦାୟିତ୍ୱପୁର୍ଣ ପଦରେ ଥାଇ ସେ ଏମିତି କେମିତି କହି ପାରୁଛନ୍ତି ? ତାଙ୍କର ସାହସ ହେଲା କେମିତି ? ଆମେ ହିନ୍ଦୁ ବୋଲି ଗର୍ବ କରୁଛୁ | ସବୁଠାରୁ ଦୁଃଖର କଥା, ଏସବୁ କହିବା ପରେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନାହିଁ । ତାଙ୍କୁ ପଦରୁ ବର୍ଖାସ୍ତ କରାଯିବ ଉଚିତ ବୋଲି କହିଛନ୍ତି ବିଜେପି ବିଧାୟିକା ।
ସେ ଆହୁରି କହିଛନ୍ତି, ଆମ ହିନ୍ଦୁ ଧର୍ମରେ ଶିଖାଯାଇଛି ନିଜ ଧର୍ମକୁ ସମ୍ମାନ କର, ଅନ୍ୟ ଧର୍ମକୁ ବି ସମ୍ମାନ କର ।ଆମେ ହିନ୍ଦୁ ବୋଲି ଗର୍ବ ଅନୁଭବ କରୁ । ହେଲେ ଫିରହାଦଙ୍କର ଏକଥା କହିବାକୁ ସାହସ କେମିତି ହେଲା ? ଅନ୍ୟ ଧର୍ମର ଲୋକଙ୍କୁ ଇସ୍ଲାମକୁ ଧର୍ମାନ୍ତର କରାଗଲେ ସିଧା ଜନ୍ନତ ମିଳିଯିବ ? ତେବେ ଏ କାମ ମମତା ବନର୍ଜୀଙ୍କଠାରୁ ଆରମ୍ଭ କରାଯାଉ ବୋଲି ତାଙ୍କୁ ଉପଦେଶ ଦେଇ କହିଛନ୍ତି ଅଗ୍ନିମିତ୍ରା ।
ଏପରିକି ମମତା ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କାହିଁକି ନେଇ ନାହାନ୍ତି ବୋଲି କହି ସେ TMC ସୁପ୍ରିମୋଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ଧର୍ମକୁ ନେଇ ରାଜନୀତି ନୁହେଁ ବିକାଶ କୁ ନେଇ ରାଜନୀତି କରିବାକୁ କହିଛନ୍ତି ଅଗ୍ନିମିତ୍ରା ।