ଘରୋଇ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ । ଉପକୃତ ହେବ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ସଦାବେଳେ ଶିକ୍ଷାକୁ ଗୁରୁତ୍ଵ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ ଲକ୍ଷ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ ଏପରି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୫-ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି । ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ । ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ ।

ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ପିଲାମାନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମଧ୍ୟ ପ୍ରତିପାଦନ କରିଆସୁଛନ୍ତି । ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟମାନଙ୍କରେ ଥିବା ଓଡିଆ ପିଲାମାନଙ୍କୁ ମଧ୍ୟ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଆସୁଛନ୍ତି । ତେବେ ଏଥରଠୁ ଘରୋଇ ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀ ମଧ୍ୟ ସରକାରଙ୍କ ଏହି ଯୋଜନାରେ ଉପକୃତ ହୋଇପାରିବେ l