ବୁଧବାର ସକାଳେ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରୁ ହୃଦୟ ବିଦାରକ ଖବର ପ୍ରକାଶ ପାଇଛି। ଏଠାରେ ସାଇରଙ୍ଗ ନିକଟରେ ନିର୍ମାଣାଧୀନ ରେଳ ବ୍ରିଜ ଭୁଶୁଡି ପଡିଛି, ଏହି ଦୁର୍ଘଟଣାରେ ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ରେଳ ପ୍ରଶାସନ ଦ୍ୱାରା ଏଠାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।
ସକାଳ ପ୍ରାୟ ୧୦ ଟା ସମୟରେ ଏହି ଦୁର୍ଘଟଣା ଘଟିଛି l ରିପୋର୍ଟ ଅନୁଯାୟୀ, ସାଇରଙ୍ଗ ନିକଟ କୁରୁଙ୍ଗ ନଦୀ ଉପରେ ଏହି ରେଳ ସେତୁ ନିର୍ମାଣ କରାଯାଉଥିଲା। ଏହା ବାଇରାବି ଏବଂ ସାଇରଙ୍ଗ ଅଞ୍ଚଳର ସଂଯୋଗକୁ ପ୍ରଭାବିତ କରିଛି l ଖସିପଡିଥିବା ରେଳ ସ୍ତମ୍ଭର ଉଚ୍ଚତା ପ୍ରାୟ ୧୦୪ ମିଟର ବୋଲି କୁହାଯାଉଛି, ଏହାର ଅର୍ଥ ଏହା କୁଟୁବ ମିନାରର ଉଚ୍ଚତାଠାରୁ ୪୨ ମିଟର ଅଧିକ।
ମିଜୋରାମ ରେଳ ବ୍ରିଜ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ପିଏମଓ ଏକ ଟୁଇଟ୍ରେ ଲେଖିଛନ୍ତି, ମିଜୋରାମରେ ବ୍ରିଜ ଦୁର୍ଘଟଣାରେ ଦୁଃଖିତ ଲୋକଙ୍କୁ ମୋର ସମବେଦନା, ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମଏମଆରଏଫ) ରୁ ମୃତକଙ୍କ ସମ୍ପର୍କୀୟଙ୍କ ନିକଟକୁ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଏଥିସହ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ।
ଏହି ନିର୍ମାଣାଧୀନ ବ୍ରିଜ୍ ମିଜୋରାମର ରାଜଧାନୀ ଆଇଜାୱଲ୍ ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ l ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ସି.ଆର.ପି. ସବ୍ୟସାଚି ଦେ କହିଛନ୍ତି ଯେ ଦୁର୍ଘଟଣା ପରେ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗା ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ ଟୁଇଟ୍ କରି ଜଣାଇଛନ୍ତି ଯେ, ଆଇଜୱାଲ୍ ନିକଟସ୍ଥ ସାୟରାଙ୍ଗରେ ନିର୍ମାଣାଧୀନ ଓଭର ବ୍ରିଜ୍ ଭୁଶୁଡି ପଡିଛି, ଯେଉଁଥିପାଇଁ ୧୭ ଶ୍ରମିକଙ୍କର ମୃତ୍ୟୁ ହୋଇଛି l ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିବାକୁ କହିଛନ୍ତି।
ମିଜୋରାମରେ ବଡ ଦୁର୍ଘଟଣା, ରେଳ ବ୍ରିଜ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ
