କଟକ: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପାଣି ପଶିଛି l ମନ୍ଦିର ଭିତରେ ଏବେ ମହାନଦୀର ବନ୍ୟାଜଳ ପ୍ରଭାହିତ ହେଉଛି। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ବେଢ଼ା ସମେତ ଗର୍ଭଗୃହ ଭିତରେ ମଧ୍ୟ ବନ୍ୟାଜଳ ପ୍ରଵେଶ କରିଛି । ଫଳରେ ମନ୍ଦିର ଭିତରେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସ୍ଥିତିକୁ ନେଇ ମା’ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ତହସିଲଦାର । ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି । ବନ୍ୟା ଆଶ୍ରୟସ୍ଥଳିରେ ମାଆଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତ ଦୁଇଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ମା’ଙ୍କ ମନ୍ଦିର ଛୁଇଁଥିଲା ମହାନଦୀର ବନ୍ୟାଜଳ । ପୂର୍ବରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ଥିବାରୁ ମାଙ୍କ ସେବାୟତ ସମେତ ଦେବୋତ୍ତର ବିଭାଗ ସଜାଗ ରହିଥିଲେ । ଗତକାଲି ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ସ୍ଥାନାନ୍ତର କରାଯାଇଛି । ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଛନ୍ତି ମା’ଙ୍କ ବିଗ୍ରହ । ଧୀରେ ଧୀରେ ବନ୍ୟା ପାଣି ବଢ଼ିବାରୁ ଏପରି ନିଷ୍କତ୍ତି ନିଆଯାଇଥିଲା । ଅନ୍ୟପଟେ ସିଂହନାଥ ପୀଠରେ ମଧ୍ୟ କଟକଣା ଜାରି କରାଯାଇଛି । ଭଟ୍ଟାରିକା ଓ ସିଂହନାଥ ଉଭୟଙ୍କ ପୀଠରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ । ସମ୍ଭାବ୍ୟ ସ୍ଥିତିକୁ ଦେଖି ୧୪୪ ଧାରା ଜାରି କରିଛନ୍ତି ବଡ଼ମ୍ବା ତହସିଲଦାର । ସ୍ଥିତି ସୁଧୁରିଲେ ୧୪୪ ଧାରା ଉଠାଯାଇ ପୁନଶ୍ଚ ମାଙ୍କୁ ନିଜ ପୀଠରେ ପୂଜାଅର୍ଚନା କରାଯିବ ।
