ଭି କେ ପାଣ୍ଡିଆନଙ୍କ ନିର୍ଦେଶକ୍ରମେ କାଳି ମାରିଥିବା ଯୁବକଙ୍କୁ ଛାଡ଼ିଲା ପୋଲିସ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଗିରଫ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୋଲିସ ଛାଡ଼ି ଦେଇଛି । ଗତକାଲି ବିଳମ୍ବିତ ରାତିରେ ଲେଖାପଢ଼ା କରି ଭାସ୍କରଙ୍କୁ ଛଡ଼ା ଯାଇଥିବା ଜଣାପଡ଼ିଛି । ସଚିବଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଭାସ୍କରଙ୍କୁ ଛାଡିଥିବା ସୂଚନା ମିଳିଛି । ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଗତକାଲି କାଳିମାଡ଼ ହୋଇଥିଲା । ୟୁଜିଏସ କଲେଜ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସଚିବଙ୍କ ଉପରେ କାଳିମାଡ଼ ହୋଇଥିଲା । ୫ଟି ସଚିବ ଭି.କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ଏହି କାଳି ପଡ଼ିଥିଲା । ସେପଟେ ଫାଇଭ୍-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିଛି ଓଡ଼ିଶା ପ୍ରଶାସନିକ ସେବା ସଂଘ । ସଂଘ କହିଛନ୍ତି ସରକାରୀ କର୍ମଚାରୀ ହେଉଛନ୍ତି ଶାସନ ପ୍ରକ୍ରିୟାର ଅବିଛେଦ୍ୟ ଅଙ୍ଗ । ଲୋକଙ୍କ ପାଇଁ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ, ପରିଚାଳନା ଏବଂ ସଫଳ ରୂପାୟନ ପାଇଁ ସେମାନେ ସଦା ସର୍ବଦା ଲୋକଙ୍କ ନିକଟକୁ ଯାଇଥାନ୍ତି । ଜଣେ ବରିଷ୍ଠ ସରକାରୀ ଅଧିକାରୀ ଶୁଦ୍ଧପୂତ ମନରେ ଏବଂ ଅଙ୍ଗିକାର ବଦ୍ଧତାର ସହ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାକୁ ରୂପରେଖ ଦେବା ପାଇଁ ଯାଇଥିବା ବେଳେ ତାଙ୍କ ଉପରେ କାଳିମାଡ଼ ଘଟଣାକୁ ଓଡ଼ିଶା ପ୍ରଶାସନିକ ସେବା ସଂଘ ଦୃଢ଼ ନିନ୍ଦା କରୁଛି । କାଳି ମାଡ଼ କରିଥିବା ବ୍ୟକ୍ତିକୁ ନେଇ ବଡ଼ ଖୁଲାସା କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେ କହିଛନ୍ତି ଭାସ୍କର ସାହୁ ଘୃଣ୍ୟ କାମ କରିଛି । ମୋ ପଞ୍ଚାୟତର ପାଖ ପଞ୍ଚାୟତ ବଡାଲ ବାସିନ୍ଦା ଭାସ୍କର । ଗତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଭାସ୍କର । ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଥିଲା ଭାସ୍କର ସାହୁ । କଣାସ ବ୍ଲକ ବଡାଲ ପଞ୍ଚାୟତ ହରିପୁର ଗାଁର ହେଉଛନ୍ତି ଭାସ୍କର ସାହୁ । ବିକାଶ କାମକୁ ସହିନପାରି ବିଜେପି କର୍ମୀଙ୍କ ଏଭଳି କାର୍ଯ୍ୟ । ବିଜେପି ସମର୍ଥିତ ପରାଜିତ ସମିତି ସଭ୍ୟ ପ୍ରାର୍ଥୀ ଭାସ୍କରଙ୍କ ଏଭଳି କାର୍ଯ୍ୟକୁ ସାରା ରାଜ୍ୟ ନିନ୍ଦା କରୁଛି ବୋଲି କହିଛନ୍ତି ଉମାକାନ୍ତ । ହେଲେ ଏସବୁ ପରେ ବି ୫-ଟି ସଚିବ ଭି କେ ପାଣ୍ଡିଆନ ଉଦାରତା ପ୍ରଦର୍ଶନ କରି ଭାସ୍କର ସାହୁଙ୍କୁ ଛାଡିବାକୁ ପୋଲିସକୁ ନିର୍ଦେଶ ଦେଇଥିଲେ l
କାଳି ମାରିଥିବା ଯୁବକଙ୍କୁ ଛାଡ଼ିଲା ପୋଲିସ

