ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଏ କାହାଣୀ। ଛୋଟ ୧୫ ବର୍ଷର ଝିଅଟି ଓଡ଼ିଶା ପାଇଁ ଆଣିଦେଇଛି ଗର୍ବ ଓ ଗୌରବର ସମୟ। ବଣମଲ୍ଲୀ ଆଉ ଵଣରେ ଫୁଟି ମଉଳି ଯାଉନି । ସେ ଫୁଟୁଛି, ଚମକୁଛି ଆଉ ଚାରିଦିଗ ମହକାଉଛି । ଏହା ପ୍ରମାଣିତ କରିଦେଇଛନ୍ତି ଏହି କୁନି ତାରକା ଜଣକ । ମାଆ ଜଣେ ମାଛ ବିକାଳି ଆଉ ଝିଅ ଷ୍ଟାର କ୍ରିକେଟର । କ୍ରିକେଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ଵ କରି ଗର୍ବ ଆଣିଛନ୍ତି ଏହି ଗରିବ ଝିଅ । ଆଉ ଏହାପରେ ତାଙ୍କୁ ଏବେ ଚାରିଆଡୁ ପ୍ରଂଶସା ମିଳୁଛି । ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର କୁନି କ୍ରିକେଟର ଜନକର ନାମ ଜୁଲି ବେହେରା । ପିଲାଟି ଦିନରୁ ଜୁଲି ନିଜ ଘର ପାଖ ପଡିଆରେ କ୍ରିକେଟ ଖେଳ ଦେଖି ନିଜେ କ୍ରିକେଟ ଖେଳିବା ପାଇଁ ମନ ବଳାଇଥିଲେ । ଆଉ ରମ୍ଭା କ୍ରିକେଟ ଆସୋସିଏସନ୍ ସହ କଥା ହୋଇ ଖେଳିବା ଆରମ୍ଭ କରିଥିଲେ। ଜୁଲି ଏକ ମତ୍ସ୍ୟଜୀବି ପରିବାରରେ ଜନ୍ମ ହୋଇଥିବା ବେଳେ ବାପା ଚିଲିକାକୁ ମାଛ ମାରିବାକୁ ଯାଆନ୍ତି । ଆଉ ମାଆ ରମ୍ଭା ବଜାରରେ ମାଛ ବ୍ୟବସାୟ କରନ୍ତି । ଜୁଲି ଏବେ ୧୫ ବର୍ଷ ବୟସର । ପାଠ ପଢିବା ସହ ସେ କ୍ରିକେଟ ଖେଳିବା ଅଭ୍ୟାସ ଜାରି ରଖିଛନ୍ତି । ଧୀରେ ଧୀରେ କ୍ରିକେଟ ମଇଦାନରେ ଜଣେ ପେସ୍ ବୋଲର୍ ଭାବେ ନିଜକୁ ଗଢିବା ପରେ ଗଞ୍ଜାମ କ୍ରିକେଟ ଆସୋସିଏସନ୍ ଦ୍ୱାରା ମନୋନୀତ ହୋଇଥିଲେ । ପ୍ରଥମେ ବ୍ରହ୍ମପୁରରେ କ୍ରିକେଟ ଖେଳିବା ପରେ ନିଜ ପେସ୍ ବୋଲିଂ ଦ୍ୱାରା ସମସ୍ତଙ୍କ ପ୍ରିୟ ହୋଇ ହୋଇପାରିଥିଲେ । ନିଜ ଦକ୍ଷତା ବଳରେ ରମ୍ଭାର ଏହି କୁନି ଝିଅ ଏବେ ଓଡ଼ିଶା କ୍ରିକେଟ ଆସୋସିଏସନରେ ସ୍ଥାନ ପାଇଛନ୍ତି । ବିସିସିଆଇ ତରଫରୁ ଆୟୋଜିତ ହୋଇଥିବା ୧୫ ବର୍ଷରୁ କମ୍ ଟିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ଚଣ୍ଡିଗଡ଼ ବିପକ୍ଷରେ ୩ଟି ମ୍ୟାଚ ଖେଳି ଭଲ ପ୍ରଦର୍ଶନ କରିଛନ୍ତି । ପରିବାରର ଆର୍ଥିକ ଅନଟନ ଦେଇ ଗତି କରୁଥିଲେ ମଧ୍ୟ ନିଜେ ଅଭ୍ୟାସ ଜାରି ରଖି ଓଡିଶା ପାଇଁ ପ୍ରତିନିଧିତ୍ୱ କରିଛନ୍ତି ଜୁଲି । ଆଗକୁ ଜୁଲିଙ୍କୁ ଆବଶ୍ୟକତା ଅନୁଯାୟୀ ପ୍ରଶିକ୍ଷଣ ମିଳିଲେ ଭବିଷ୍ୟତରେ ଭଲ କ୍ରିକେଟର ହେବା ସହ ଭାରତ ପାଇଁ ପ୍ରତିନିଧିତ୍ୱ କରିପାରିବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କୁନି ତାରକା ଜୁଲି ଓଡ଼ିଶା ପାଇଁ ଗର ଓ ଗୌରବ।