
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ଦେଖିବାକୁ ମିଳିଛି ବଡ଼ ଅବହେଳା । ଜଣେ ସନ୍ଦିଗ୍ଧ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଙ୍କ ବାସଭବନରେ ପଶିବାକୁ ଚେଷ୍ଟା କରୁଥିଲେ, କିନ୍ତୁ କୋଲକାତା ପୁଲିସ ତାଙ୍କୁ କାବୁ କରିନେଇଛି । ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବା ପରେ ତାଙ୍କ ନିକଟରୁ ଏକ ଛୁରୀ ଓ ବନ୍ଧୁକ ଜବତ ମଧ୍ୟ କରାଯାଇଛି। ସେହି ବ୍ୟକ୍ତିଙ୍କ ନାମ ନୁର ଆଲମ ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି ଜଣଙ୍କ ନିକଟରୁ ନିଷିଦ୍ଧ ପଦାର୍ଥ ବ୍ୟତୀତ ବିଭିନ୍ନ ଏଜେନ୍ସିର ଆଇଡି କାର୍ଡ ମଧ୍ୟ ମିଳିଛି।
ପୋଲିସ କହିଛି ଯେ ସନ୍ଦିଗ୍ଧ ଙ୍କ କାର୍ରେ ପୋଲିସ ଷ୍ଟିକର ଲାଗିଥିଲା ଏବଂ ସେ ଏଥିରେ ବସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଆସିଥିଲେ। ତେବେ ସେ କାହିଁକି ମୁଖ୍ୟମନ୍ତ୍ରୀ ଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଯାଞ୍ଚ ଚାଲିଛି। ଏଥିସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି। ସେପଟେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ବୟାନ ସାମ୍ନାକୁ ଆସି ନାହିଁ ଓ ଅନ୍ୟପଟେ ରାଜ୍ୟ ପୋଲିସ ତରଫରୁ ମଧ୍ୟ ସରକାରୀ ତଥ୍ୟକୁ ଅପେକ୍ଷା କରାଯାଇଛି।
ସୂଚନା ଅନୁସାରେ, ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରୀ ବାସଭବନରେ ସିନ୍ଧି ଚୋରିର ଉଦ୍ୟମ ହୋଇଥିଲା। କୋଲକାତାର କାଲିଘାଟସ୍ଥିତ ବାସଭବନରେ ଜଣେ ବ୍ୟକ୍ତି କାନ୍ଥ ଖୋଳି ପରିସରକୁ ପ୍ରବେଶ କରିଥିଲେ। ସେ ରାତିସାରା ଘର ପରିସରରେ ରହିଥିଲେ ଏବଂ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ବୋଲି ଅଧିକାରୀମାନେ କହିଛନ୍ତି।