ମଣିପୁର ହିଂସାରେ ପୁଣି ୩ ହତ୍ୟା ଲାଗିରହିଛି ମଣିପୁର ହିଂସାକାଣ୍ଡ l ୨ ସପ୍ତାହ ପରେ ପୁଣି ତେଜିଛି ହିଂସା । କୁକି ସଂପ୍ରଦାୟର ୩ ଆଦିବାସୀ ଯୁବକଙ୍କୁ ହତ୍ୟା କରାଯାଇଛି । ନାଗା ବହୁଳ ଉଖରୁଲ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ତ ହୋଇଛି । ହତ୍ୟାକାଣ୍ତ ପରେ ସଶସ୍ତ୍ର ଦୁର୍ବୃତ୍ତ ମିଆଁମାରକୁ ଫେରାର ହୋଇଯାଇଥିବା ନେଇ ସୂଚନା ରହିଛି l ଶେଷଥର ପାଇଁ ୫ ତାରିଖରେ ହିଂସାକାଣ୍ତ ଘଟିଥିବା ବେଳେ ଗତକାଲି ମଣିପୁରର ଉଖରୁଲ ଜିଲ୍ଲାର କୁକି ଥୋୱାଇ ଗାଁରେ ପୁଣି ପ୍ରବଳ ଗୁଳି ବିନିମୟ ହୋଇଛି । ଏହାପରେ ଆରମ୍ଭ ହୋଇଥିବା ସର୍ଚ୍ଚ ଉପରେସନ ବେଳେ ୩ ଜଣ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକମାନଙ୍କ ବୟସ ୨୪ ରୁ ୩୫ ବର୍ଷ ମଧ୍ୟ ହେବା ନେଇ ସୂଚନା ରହିଛି । ହଠାତ୍ ଏହି ଗାଁ ଓ ଆଖପାଖ ଜଙ୍ଗଲରେ ପ୍ରବଳ ଗୁଳିମାଡ଼ର ଶଦ୍ଦ ଶୁଭିଥିଲା । ଯାହା ପରେ ସତର୍କ ହୋଇଯାଇଥିଲେ ସୁରକ୍ଷାକର୍ମୀ । ଏହା ପରେ ଦୀର୍ଘ ସମୟ ଧରି ଗୁଳି ବନିମୟ ହୋଇଥିଲା ଏବଂ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । କିନ୍ତୁ ଏହାରି ଭିତରେ ତିନି ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା l ସୂଚନା ଅନୁସାରେ ଗତ ମେ’୩ ତାରିଖରୁ ମଣିପୁରରେ ହିଂସାକାଣ୍ତ ଆରମ୍ଭ ହୋଇଥିଲା । ଯେଉଁଥିରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୬୦ ହଜାର ଲୋକ ବାସହୀନ ହୋଇ ସାରିଲେଣି । ୩ ମାସରୁ ଅଧିକ ସମୟ ହେଲାଣି ମଣିପୁରରେ ହିଂସା ଲାଗି ରହିଛି । ଦିନ ବତୁଛି ହେଲେ ସ୍ଥିତିରେ କୌଣସି ସୁଧାର ଆସୁ ନାହିଁ । ବରଂ ଆହୁରି ସାଙ୍ଘାତିକ ହେବାରେ ଲାଗିଛି ପରିସ୍ଥିତି l
