ରିଷିକେଶ: ରବିବାର ଦିନ ଉତ୍ତରାଖଣ୍ଡର ତେହେରୀ ଗରୱାଲ ଜିଲ୍ଲାର ଗଙ୍ଗା ନଦୀରେ ଭୂସ୍ଖଳନ ଘଟିବା ପରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ଅଧିକାରୀ କହିଛନ୍ତି ଯେ ପୀଡିତମାନେ ଦିଲ୍ଲୀ, ବିହାର ଏବଂ ହାଇଦ୍ରାବାଦର ବାସିନ୍ଦା।
ଗାଡି ଚାଳକ ସମେତ ୧୧ ଜଣ ସେହି ରାସ୍ତା ରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଟି ଘଟିଥିଲା l ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇ ରିଷିକେଶର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନେ କେଦାରନାଥରୁ ରିଷିକେଶ ଅଭିମୁଖେ ଯାଉଥିଲେ।

ପୋଲିସର ସୂଚନାନୁସାରେ, ରିଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଥିବା ମୁନି କି ରେଟି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଭୂସ୍ଖଳନ ହେବା ପରେ ଚାଳକ ଟି ନିଜ କାର ରୁ ନିୟନ୍ତ୍ରଣ ହରାଇଥିଲା। ଏହା ପରେ ରାସ୍ତାରୁ ଖସି ଗଙ୍ଗା ନଦୀରେ ଖସି ପଡିଥିଲା ବୋଲି ମୁନି କି ରେଟି ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ରିତେଶ ଶାହା କହିଛନ୍ତି।
ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସ. ଡି. ଆର. ଏଫ) ର କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ଶାହା କହିଛନ୍ତି। ଏସଡିଆରଏଫର ଇନ୍ସପେକ୍ଟର କଭେନ୍ଦ୍ର ସାଜୱାନ କହିଛନ୍ତି ଯେ ନଦୀରୁ ତିନିଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏକ ଟିମ୍ ଅନ୍ୟ ଯାତ୍ରୀଙ୍କୁ ଖୋଜୁଛି।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଜ୍ୟ ଗସ୍ତରେ ଆସିଥିବା ତୀର୍ଥଯାତ୍ରୀମାନଙ୍କୁ ଅସୁବିଧାକୁ ଏଡାଇବା ପାଇଁ ନୂତନ ପାଣିପାଗ ସୂଚନା ପାଇବା ପରେ ହିଁ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ଅନୁରୋଧ କରିଛନ୍ତି।
ପ୍ରବଳ ବର୍ଷା ଏବଂ ପ୍ରବାହିତ ନଦୀ ଯୋଗୁଁ ଭୂସ୍ଖଳନରୁ ଲୋକଙ୍କୁ ସଜାଗ ରହିବାକୁ ସେ କହିଥିଲେ।
ଖରାପ ପାଗ ଏବଂ ଅତ୍ୟଧିକ ବୃଷ୍ଟିପାତ ହେତୁ ଭୂସ୍ଖଳନ, ରାସ୍ତା ବନ୍ଦ ଏବଂ ନଦୀ ଓ ଝରଣାଗୁଡ଼ିକ ପ୍ରବାହିତ ହେବାର ସୂଚନା ମିଳିଛି। ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।