ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନକୁ ଆସୁନାହିଁ ଟ୍ରେନ । ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି l ଗତକାଲି ଅପରାହ୍ନ ସାଢେ ୪ଟାରୁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି । ଇଣ୍ଟରଲକିଂ ଓ ସିଗନାଲିଂ ପାଇଁ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ବର-ହାଓଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍, ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍ ଓ ଭୁବନେଶ୍ବର-ଭାଲସାଦ-ଭୁବନେଶ୍ବର ଏକ୍ସପ୍ରେସ୍ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଷ୍ଟେସନ ବଦଳରେ ନ୍ୟୁ ଭୁବନେଶ୍ବର ଷ୍ଟେସନରେ ରହଣୀ କରିବା ସହ ସେଠାରୁ ହିଁ ଛାଡ଼ିବ । ଯାତ୍ରୀମାନେ ନ୍ୟୁ ଭୁବନେଶ୍ବର ଷ୍ଟେସନରୁ ହିଁ ଟ୍ରେନରେ ଚଢ଼ିପାରିବେ l
ସେହିପରି କଟକ-ଗୁଣୁପୁର-କଟକ, ଭୁବନେଶ୍ବର-ନୂଆଗାଁ ରୋଡ୍-ଭୁବନେଶ୍ବର, କଟକ-ପଲାସା-କଟକ ଏକ୍ସପ୍ରେସ୍, ଭୁବନେଶ୍ବର-ନୟାଗଡ଼ ଟାଉନ୍-ଭୁବନେଶ୍ବର ଏକ୍ସପ୍ରେସ୍ ୨୯ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ଚଳାଚଳ କରିବ । ଏହି ସବୁ ଟେନ ଭୁବନେଶ୍ୱର ଷ୍ଟେସନକୁ ଆସିପାରିବ ନାହିଁ l
ସେହିପରି ଭୁବନେଶ୍ବର-ସିଏସ୍ଏମ୍ଟି ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍, ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ୍, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଏକ୍ସପ୍ରେସ୍, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ପରିବର୍ତ୍ତେ ଖୋର୍ଦ୍ଧା ରୋଡରୁ ଚଳାଚଳ କରିବ ।
ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ୪ଟାରେ ଭୁବନେଶ୍ବର ରେଳ ଷ୍ଟେସନକୁ ଟ୍ରେନ୍ ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ରାତି ପ୍ରାୟ ୯ଟା ବେଳକୁ ଷ୍ଟେସନରେ ଟ୍ରେନ୍ ସେବା ସ୍ବାଭାବିକ ଅବସ୍ଥାକୁ ଫେରିଥିଲା । ରାତି ୮:୪୫ ପର୍ଯ୍ୟନ୍ତ ଷ୍ଟେସନ୍କୁ ଟ୍ରେନ୍ ନ ଆସିବାରୁ ହଜାର ହଜାର ଯାତ୍ରୀ ଅପେକ୍ଷା କରି ରହିଥିଲେ । ଏହି ସମୟ ମଧ୍ୟରେ ଟ୍ରେନ୍ ଚଳାଚଳ ନେଇ ଯାତ୍ରୀମାନଙ୍କ ପାଖରେ ଠିକ୍ ସୂଚନା ନଥିବାରୁ ସେମାନେ ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ । ଭୁବନେଶ୍ୱର- ମଞ୍ଚେଶ୍ୱର୍ ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଇଣ୍ଟରଲକିଂ ଓ ସିଗନାଲିଂକୁ ପୁନଃବ୍ୟବସ୍ଥିତ କରାଯାଉଛି । ତେଣୁ ଭୁବନେଶ୍ୱର ଷ୍ଟେସନକୁ କୌଣସି ଟ୍ରେନ ଆସିପାରୁ ନାହିଁ । ଫଳରେ ଷ୍ଟେସନରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେବେ ଆସନ୍ତାକାଲି ଯାଏଁ ଏହି ସମସ୍ୟା ଲାଗି ରହିବ l ତେବେ ଉଚିତ ସୂଚନା ଗ୍ରହଣ କରି ଅନ୍ୟ ଯେଉଁ ଷ୍ଟେସନରୁ ଟେନ ଛାଡିବ ସେଠାରୁ ଯାତ୍ରୀମାନେ ଟ୍ରେନରେ ଚଢ଼ିପାରିବେ l