ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆମେରିକା ପ୍ରଶାସନ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ ରାଷ୍ଟ୍ରପତି ବାଇଡେନ ୭ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଭାରତ ଗସ୍ତରେ ଆସିବେ ଏବଂ ଜି -୨୦ ସମ୍ମିଳନୀରେ ଯୋଗଦେବେ। ହ୍ୱାଇଟ୍ ହାଉସ୍ ର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ ଏହା ସମ୍ପର୍କରେ ମଙ୍ଗଳବାର ସୂଚନା ଦେଇଛନ୍ତି । ସୁଲିଭାନ କହିଛନ୍ତି ଯେ ବାଇଡେନ୍ ଜି-20 ପୃଷ୍ଠଭୂମିରେ ଭାରତ ସହ କିଛି ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ।

ଆସନ୍ତା ସେପ୍ଟେମ୍ବର ମାସରେ ଭାରତରେ ଜି-20 ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ବିଶ୍ୱର 20ଟି ପ୍ରମୁଖ ବିକଶିତ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥାର ଏକ ଆନ୍ତଃସରକାରୀ ମଞ୍ଚ, ଯାହାଦ୍ୱାରା ଏହା ଆନ୍ତର୍ଜାତିକ ଆର୍ଥିକ ସହୟୋଗ ପାଇଁ ଏକ ପ୍ରମୁଖ ସମାବେଶ ହୋଇପାରିଛି। ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ବାଇଡେନ୍ କହିଥିଲେ ଯେ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀକୁ ସେ ଅପେକ୍ଷା କରିଛନ୍ତି। ତେବେ ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଏହା ବାଇଡେନଙ୍କର ପ୍ରଥମ ଭାରତ ଗସ୍ତ ହେବ l ବାଇଡେନ ଜି-୨୦ କ୍ଷେତ୍ରରେ ଭାରତର ନେତୃତ୍ୱକୁ ଖୁବ ପ୍ରଶଂସା କରିଥିଲେ l ଜାତିସଂଘର ସଫଳତାକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରିବା ସହିତ ଜଳବାୟୁ ପରିବର୍ତ୍ତନ, ମହାମାରୀ ଭଳି ବିଶ୍ୱସ୍ତରୀୟ ସମସ୍ୟାଗୁଡିକର ମୁକାବିଲା ପାଇଁ ସେ ଭାରତର ନେତୃତ୍ୱକୁ ପ୍ରଶଂସା କରିଥିଲେ।

୨୦୨୨ ଡିସେମ୍ବର ୧ରେ ଭାରତ ଜି-୨୦ ସଭାପତିତ୍ୱ ଆରମ୍ଭ କରିଥିଲା । ଏହା ପୂର୍ବରୁ ଇଣ୍ଡୋନେସିଆ ଜି -୨୦ ର ନେତୃତ୍ୱ ନେଇଥିଲା l ତେବେ ଏହି ଜି -୨୦ ସମ୍ମିଳନୀରେ ଯୋଗଦେବ ସମୟରେ ଜୋ ବାଇଡେନ ୨୦୨୬ ମସିହାରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଆମେରିକାର ପ୍ରତିବଦ୍ଧତାକୁ ମଧ୍ୟ ପ୍ରକାଶ କରିବେ । ତେବେ ଜୋ ବାଇଡେନଙ୍କ ପୂର୍ବରୁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ସମେତ ଅନେକ ଦେଶର ମୁଖ୍ୟ ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଘୋଷଣା କରିସାରିଛନ୍ତି।
ଏଥି ସହିତ, ଜି -୨୦ ଶିଖର ସମ୍ମିଳନୀ ହେତୁ ଦିଲ୍ଲୀର ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକ ୩ ଦିନ ପାଇଁ ଛୁଟି ଘୋଷଣା ହୋଇପାରେ l ଜି -୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୮ ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସାଧାରଣ ଛୁଟି ଘୋଷଣା କରିବାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ତାରିଖଗୁଡ଼ିକରେ ଏମସିଡି କାର୍ଯ୍ୟାଳୟ ସମେତ ସମସ୍ତ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।