ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୩ ତାରିଖ ଦିନ ଫ୍ରାନ୍ସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଜାତୀୟ ଦିବସରେ ଯୋଗ ଦେଇଥିଲେ । ଏହା ପରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ସହ ଆଲୋଚନା କରି ଭାରତ ଓ ଫ୍ରାନ୍ସ ଭିତରେ ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି କରାଯାଇଛି । ଭାରତକୁ ମିଳିବ ୩ଟିବୁଡ଼ ଜାହାଜ । ୩ଟି ବୁଡ଼ାଜାହାଜ ନିର୍ମାଣ ନେଇ ଉଭୟ ଦେଶ ମଧରେ ବୁଝାମଣା ହୋଇଛି । ଏହାର ନିର୍ମାଣ ମୁମ୍ବ୍ଧଇ ସ୍ଥିତ ମାଜାଗାଁ ଡେକ୍ ରେ ହେବ । ସେହିପରି ମିଳିତ ଭାବେ ଯୁଦ୍ଧବିମାନ ଇଞ୍ଜିନ ନିର୍ମାଣ ପାଇଁ ମଧ୍ୟ ଉଭୟ ଦେଶ ରାଜି ହୋଇଛନ୍ତି । ହେଲେ ଏହି ପ୍ରତିରକ୍ଷା ଚୁକ୍ତି ନେଇ ଯାହା ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ ଥିଲା, ତାହା ହେଲା ନୌସେନା ପାଇଁ ଯେଉଁ ରାଫେଲ କିଣା ହେବା କଥା କୁହାଯାଉଥିଲା । ହେଲେ ଏବେ ଯାହା ଜଣାପଡିଛି ତାକୁ ନେଇ କୌଣସି ଚୁକ୍ତି କରାଯାଇନାହିଁ। ଚର୍ଚ୍ଚା ହେଉଥିଲା ଯେ, ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟର ପାଇଁ ୨୬ଟି ରାଫେଲ ବିମାନ କିଣାଯିବ । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଗ୍ରୀନ୍ ସିଗନାଲ ଦେଇଥିଲା ।

ଉଭୟ ୩ଟି ବୁଡ଼ାଜାହାଜ ଓ ୨୬ଟି ରାଫେଲ ବିମାନ ପ୍ରାୟ ୮୦ ହଜାର କୋଟି ଟଙ୍କାରେ ଚୁକ୍ତି ହେବା କଥା । ହେଲେ ଚୁକ୍ତି ବୁଝାମଣାରେ ରାଫେଲ ବିଷୟରେ କୌଣସି ଉଲ୍ଲେଖ ନାହିଁ ।ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିରେ ଅନ୍ୟ ଯେଉଁ ବଡ଼ ପ୍ରସଙ୍ଗ ରହିଛି, ତାହା ହେଉଛି ଉଭୟ ଦେଶ ମିଳିତ ଭାବେ ଯୁଦ୍ଧବିମାନ ଇଞ୍ଜିନ ତିଆରି କରିବା । ଭାରତର ଡିଆରଡିଓ ଓ ଫ୍ରାନ୍ସର ସାଫ୍ରନ ମିଳିତ ଭାବେ ଇଞ୍ଜିନ ତିଆରି ପାଇଁ କାମ କରିବେ । ଏଥିପାଇଁ ଶହେ ପ୍ରତିଶତ ପ୍ରଯୁକ୍ତି ହସ୍ତାନ୍ତର କରିବ ବୋଲି ଫ୍ରାନ୍ସ ରାଜି ହୋଇଥିବା କୁହାଯାଉଛି ।
ଭାରତ ଏଯାଏଁ ନିଜର ଯୁଦ୍ଧବିମାନ ଇଞ୍ଜିନ ତିଆରି କରିପାରି ନାହିଁ । ନିକଟରେ ଯୁଦ୍ଧବିମାନ ଇଞ୍ଜିନ ନେଇ ଭାରତ ଓ ଆମେରିକା ମଧ୍ୟରେ ଚୁକ୍ତି ହୋଇଥିଲା । ୯୮ କିଲୋନିଓଟନ ଇଞ୍ଜିନ ତିଆରି ପାଇଁ ୮୦ ପ୍ରତିଶତ ପ୍ରଯୁକ୍ତି ହସ୍ତାନ୍ତର ପାଇଁ ଆମେରିକା ରାଜି ହୋଇଛି । ହେଲେ ଫ୍ରାନ୍ସ ୧୧୦ କିଲୋନିଓଟନ ଇଞ୍ଜିନ ତିଆରି ସହିତ ଶହେ ପ୍ରତିଶତ ପ୍ରଯୁକ୍ତି ହସ୍ତାନ୍ତର କରିବ କହିଛି ଯାହାକି ଭାରତ ପାଇଁ ଏକ ଖୁସିର ବିଷୟ।
ଭାରତ ଆଗରୁ ବାୟୁସେନା ପାଇଁ ଫ୍ରାନ୍ସ ଠାରୁ ୩୬ଟି ରାଫଲ ବିମାନ କିଣିସାରିଛି । ଆଉ ଏହି ରାଫେଲ ଚୀନ୍ ସହ ସୀମାରେ ମୁତୟନ ମଧ୍ୟ ହୋଇଛି । ଏବେ ନୌସେନା ପାଇଁ ମେରାଇନ ରାଫେଲ ଆଣିବାକୁ ନୂଆଦିଲ୍ଲୀ ସ୍ଥିର କରିଥିଲା । ହେଲେ ଏବେ ଯାହା ଅନୁମାନ କରାଯାଉଛି ଯେ, ହୁଏତ ଦର ମୂଲଚାଲ ନେଇ ଉଭୟ ଦେଶ ବୁଝାମଣାରେ ପହଞ୍ଚିପାରି ନାହାନ୍ତି ।