ଭାରତ ଏବଂ ଆୟରଲାଣ୍ଡ ମଧ୍ୟରେ ଗତକାଲି ଡବଲିନରେ ଖେଳାଯିବାକୁ ଥିବା ତୃତୀୟ ଟି -୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ଜିତିଥିଲା l ତେଣୁ ସିରିଜକୁ ୨-୦ରେ ବିଜୟ ହାସଲ କରିବାରେ ସଫଳ ହୋଇଛି ଭାରତୀୟ ଦଳ । ଭାରତ ପାଇଁ ଏହି ସିରିଜ୍ରେ ଅନେକ ପଜିଟିଭ୍ ପ୍ରଭାବ ରହିଥିଲା, ସେଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଫିଟ୍ ହୋଇ ଟିମ୍କୁ ଯସପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ। ଏହା ବ୍ୟତୀତ ଭାରତ ଏହି ସିରିଜରେ ରିଙ୍କୁ ସିଂଙ୍କ ପରି ଉଦୀୟମାନ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ରିଙ୍କୁ ସିଂ ମଧ୍ୟ ନିରାଶ କରିନଥିଲେ l ଦ୍ୱିତୀୟ ମ୍ୟାଚରେ ପ୍ଳେୟର ଅଫ୍ ଦ ମ୍ୟାଚ୍ ନିଜ ନାଁରେ କରିବାରେ ସଫଳ ହୋଇଥିଲେ ରିଙ୍କୁ ସିଂ। ପ୍ରସିଦ୍ଧ ଦ୍ରୁତ ବୋଲର କୃଷ୍ଣଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଭାରତର ଦ୍ରୁତ ବୋଲିଂ ଆକ୍ରମଣ ମଧ୍ୟ ଦୃଢ଼ ହୋଇଥିଲା। ତେବେ ସୂଚନା ମୁତାବକ ଅଗଷ୍ଟ ୧୮ ତାରିଖରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ମଧ୍ୟ ବର୍ଷା ବାଧା ସାଜିଥିଲା l ଫଳରେ ସେହି ମ୍ୟାଚର ଫଳାଫଳ ଡକୱର୍ଥ ଲୁଇସ୍ ଷ୍ଟ୍ରେନ୍ ତଥା DLS ଅନୁସାରେ ବାହାରିଲା । ସେହି ମ୍ୟାଚଟିକୁ ଟିମ୍ ଇଣ୍ଡିଆ ୨ ରନ୍ରେ ଜିତିଥିଲା । ଏହା ପରେ ଅଗଷ୍ଟ ୨୦ ତାରିଖରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ପୁନଶ୍ଚ ଭାରତୀୟ ଦଳ ୩୩ ରନରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ରିଙ୍କୁ ସିଂ ଚମତ୍କାର ପ୍ରଦର୍ଶନ କରିଥିଲେ। ଶିବମ ଦୁବେ ଏବଂ ରିତୁରାଜ ଗାଇକୱାଡ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଜସପ୍ରୀତ ବୁମ୍ରା ଏବଂ ପ୍ରସିଦ୍ଧ କୃଷ୍ଣ ଆଘାତରୁ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ଗତକାଲି ଅର୍ଥାତ ଅଗଷ୍ଟ ୨୩ ତାରିଖରେ ତୃତୀୟ ତଥା ଶେଷ ମ୍ୟାଚ ଖେଳାଯିବାକୁ ଥିବା ବେଳେ ପୁଣି ବର୍ଷା ବାଧକ ସୃଷ୍ଟି କରିଥିଲା l ବର୍ଷା ଯୋଗୁଁ ଗୋଟେ ବି ବଲ ପଡ଼ିବାର ସୁଯୋଗ ମିଳିନଥିଲା l ଫଳରେ ପୂର୍ବ ୨ଟି ମ୍ୟାଚରେ ବିଜୟ ହାସଲ କରିଥିବାରୁ ଭାରତକୁ ୨-୦ରେ ସିରିଜର ବିଜେତା ଘୋଷଣା କରାଯାଇଛି l ବର୍ତ୍ତମାନ ସିଧାସଳଖ ଭାରତୀୟ ଦଳ ୨ ସେପ୍ଟେମ୍ବରରେ ଏସିଆ କପ୍ ମ୍ୟାଚ୍ରେ ବିଜୟର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ।
ଭାରତ-ଆୟରଲାଣ୍ଡ ଟି-୨୦ ସିରିଜ ଜିତିଲା ଭାରତ
