ପୁରୀ : ଅନେକ ବାଦ ବିବାଦ ପରେ ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ରାଜି ହୋଇଛନ୍ତି । ଏନେଇ ଆଜି ନୀତି ସବ୍ କମିଟି ବୈଠକ ବସିଥିଲା l ବୈଠକ ପରେ ଦତ୍ତମହାପାତ୍ର ଏନେଇ ପ୍ରତିକ୍ରିୟା ରଖିବା ସହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯଦି ପରିଚାଳନା କମିଟି କହିବେ ବୁଧବାର କରିବାକୁ ଆମେ ସେଥିରେ ରାଜି । କାରଣ ଶ୍ରୀଜିଉଙ୍କ ନୀତିରେ କୌଣସି ବିଳମ୍ବ କରିବାକୁ ଆମେ ଆଉ ଚାଁହୁନାହୁଁ । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି କି କେବଳ ବୁଧବାର ନକରି ଗୁରୁବାର ମଧ୍ୟ ନୀତି ହେବା ଦରକାର। ତେଣୁ ଏନେଇ ମୁଖ୍ୟପ୍ରଶାସକଙ୍କୁ ସେବାୟତଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରିବାକୁ ସେ ନିବେଦନ କରିଛନ୍ତି । ବନକଲାଗି ନୀତି ବିବାଦ ନେଇ ସବ୍ କମିଟି ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦତ୍ତ ମହାପାତ୍ର ନିଯୋଗ ସଂପାଦକ ମଦନମୋହନ ଦତ୍ତ । ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକ ଲାଗି ନୀତି ହୋଇନଥିବାରୁ ବେଶ୍ ବ୍ୟଥିତ ଶ୍ରଦ୍ଧାଳୁମାନେ । ମହାପ୍ରଭୁଙ୍କ ବନକଲାଗି ବୁଧବାର କିମ୍ବା ଗୁରୁବାର, କେବେ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । କିନ୍ତୁ ଏବେ ଏହା ବୁଧବାର ହେବ ବୋଲି ନିଷ୍ପତି ହୋଇସାରିଛି । ଗତ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗକୁ ନର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସନ। ଏହାର ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏହାସହ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ ହେବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା । ତେବେ ତାଗିଦ୍ ସତ୍ତ୍ୱେ ବି ଏଯାଏଁ ହୋଇପାରିନି ବନକଲାଗି ନୀତି । ପ୍ରଶାସନ ପକ୍ଷରୁ ବୁଧବାର ବନକଲାଗି ନୀତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ଜିଦ୍ ଧରି ବସିଥିଲେ । ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି ବୋଲି ସେମାନେ କହିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଯୋଗ ମଧ୍ୟରେ ଏଭଳି ବିବାଦ ଯୋଗୁଁ ନୀଳାଦ୍ରି ବିଜେ ପରଠାରୁ ଠାକୁରମାନଙ୍କ ଶ୍ରୀମୁଖ ଶିଙ୍ଗାର କରାଯାଇନାହିଁ । ଫଳରେ ଶ୍ରୀମନ୍ଦିର ଆସୁଥିବା ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଠାକୁରଙ୍କ ମଳିନ ମୁଖକୁ ଦର୍ଶନ କରି ଫେରିବା ସହ ଏହାକୁ ନେଇ ଭକ୍ତମାନେ କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି । ହେଲେ ଏବେ ପରିଶେଷରେ ସବ୍ କମିଟିର ବୈଠକ ଓ ଆଲୋଚନାର ଫଳସ୍ୱରୂପ ସମସ୍ତେ ଏକ ନିଷ୍ପତି ରେ ରାଜି ହୋଇଛନ୍ତି l ଏବେ ସଠିକ ଭାବରେ ଏବଂ ସଠିକ ସମୟରେ ଶ୍ରୀଜିଉଙ୍କ ସମସ୍ତ ପ୍ରକାର ନୀତି ସମ୍ପାଦନ କରାଯିବ ବୋଲି ଆଶା ରଖାଯାଉଛି l