ଭୁବନେଶ୍ୱର: ଆମ ବିଦ୍ୟାଳୟ ଗୁଡିକରେ ପିଲାମାନେ ଅନେକ ପ୍ରକାର ଶିକ୍ଷା ପାଉଥିବାବେଳେ ଏଯାଏଁ ବି ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷାରୁ ବଞ୍ଚିତ ରହିଛନ୍ତି। ତେଣୁ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘କୌଶଳୀ’ ସ୍କୁଲ କ୍ଲବ୍ ଜରିଆରେ ପାଇବେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା । ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଗୁରୁବାରଠାରୁ ତିନିଦିନ ଧରି ଭୁବନେଶ୍ୱରର 3ଟି ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ପ୍ରଶିକ୍ଷକମାନଙ୍କୁ ତାଲିମ ଦିଆଯାଉଛି । ୟୁନିଟ୍ 8 ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍ 8 ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସୟଦ୍ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ସ୍ତରରୁ ହେଉଥିବା ଏହି ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମରେ 89 ଜଣ ବିଜ୍ଞାନ ଶିକ୍ଷକ ଯୋଗ ଦେଇଛନ୍ତି । ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ଏହି ପ୍ରଶିକ୍ଷଣ ଦେଉଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ‘ମୋ ସ୍କୁଲ’ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛି । ବିଦ୍ୟାଳୟଗୁଡିକରେ ସ୍କୁଲ କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମର ପ୍ରଚଳନ କରାଯାଉଛି । ପାଠ୍ୟକ୍ରମରେ 4ଟି ସ୍କୁଲ କ୍ଲବ୍ ଯଥା କ୍ରୀଡାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ ଓ ଜିଜ୍ଞାସା ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାକୁ ସଫଳ ପରିଚାଳନା ପାଇଁ ଏବେ ମୁଖ୍ୟ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ରାଜ୍ୟସ୍ତରରେ ଦିଆଯାଉଛି । ଗତ ସପ୍ତାହ ରେ କ୍ରୀଡାଙ୍ଗନ କ୍ଲବ ପାଇଁ ପ୍ରଶିକ୍ଷଣ ଶେଷ ହେ।ଇଛି । ଏବେ କୌଶଳୀ କ୍ଲବ୍ର ପ୍ରଶିକ୍ଷଣ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ପ୍ରତି ବ୍ଲକ୍ରୁ ଜଣେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ମୁଖ୍ୟ ପ୍ରଶିକ୍ଷକମାନେ ବ୍ଲକ୍ସ୍ତରରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବେ । ଜାତୀୟସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର ସହଭାଗିତାରେ ‘ମୋ ସ୍କୁଲ’ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରୁଛି । ବର୍ତ୍ତମାନ ସମୟର ଆହ୍ୱାନ ଅନୁସାରେ ଛାତ୍ରଛାତ୍ରୀଙ୍କର ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷାର ଆବଶ୍ୟକତାକୁ ଭିତ୍ତିକରି ଶିକ୍ଷା ବିଭାଗ ଏଭଳି ଏକ ନୂତନ ପାଠ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦେଉଛି । ସରକାରଙ୍କର ଏପରି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଶେଷ ସହଯୋଗୀ ହୋଇପାରିବ।
